Site icon Odisha.com

ଆଲୋଚନା ପରେ ଶ୍ରମିକ ସଂଗଠନର ଆନ୍ଦୋଳନ ପ୍ରତ୍ୟାହାର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ଜୁଲାଇ ୬(ଓଡ଼ିଶା ଡ଼ଟ୍ କମ୍) ଗୁଳିକାଣ୍ଡ ଘଟଣାକୁ ନେଇ ପାରାଦ୍ଵୀପ ତୈଳ ବିଶୋଧନାଗାରରେ ଦେଖାଦେଇଥିବା ଅଚଳାବସ୍ଥା ଶୁକ୍ରବାର ତ୍ରିପାକ୍ଷିକ ଆଲୋଚନା ପରେ ଦୂର ହୋଇଥିବା ବେଳେ ଶ୍ରମିକ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।

ଗୁରୁବାର ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ବିଫଳ ହେବା ପରେ ଶ୍ରମିକମାନେ ଶୁକ୍ରବାର ମଧ୍ୟ ପୁନର୍ବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।

ତେବେ ଶୁକ୍ରବାର ମଧ୍ୟାହ୍ନରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ସ୍ଥାନୀୟ ସାଂସଦ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ ଅତିରିକ୍ତ ଏସ୍ପିଙ୍କ ସମେତ ଆଠଟି ଶ୍ରମିକ ସଂଗଠନର ପ୍ରାୟ ୫୦ରୁ ଊର୍ଦ୍ଧ୍ଵ ପ୍ରତିନିଧି ଯୋଗଦେଇଥିଲେ ।

ଦୀର୍ଘ ସମୟ ଧରି ଆଲୋଚନା ପରେ ଜିଲ୍ଲାପାଳ ଏକ ସବ୍କମିଟି ଗଠନ କରି ଆଲୋଚନାର ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଥିଲେ । ପ୍ରତ୍ୟେକ ସଂଗଠନରୁ ଜଣେ ପ୍ରତିନିଧିଙ୍କୁ କମିଟିରେ ରଖାଯାଇଥିଲା ଓ ଶ୍ରମିକଙ୍କ ୮ଟି ଦାବି ମଧ୍ୟରୁ ୬ଟିକୁ ମାନି ନିଆଯାଇଥିଲା ।

ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା, ଆହତଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା ।

ତୈଳ ବିଶୋଧନାଗାରରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ଏକ ଶାନ୍ତି କମିଟି ଗଠନ କରାଯାଇଛି । ପ୍ରତ୍ୟେକ ମାସରେ ଥରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଏହା ଉପରେ ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଶନିବାର ଠାରୁ ଶ୍ରମିକମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ବୈଠକ ପରେ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ସୋମବାର କେତେକ ଶ୍ରମିକ ବିନା ଗେଟ୍ ପାସ୍ ରେ ବଳପୂର୍ବକ ବିଶୋଧନାଗାରର ଚାରି ନମ୍ବର ଫାଟକ ଦେଇ ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ସିଆଇଏସ୍ଏଫ୍ ଯବାନଙ୍କ ସହ ସେମାନଙ୍କର ବଚସା ହୋଇଥିଲା ।

ଏହି ଘଟଣାକୁ ନେଇ ସୁରକ୍ଷା କର୍ମୀମାନେ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଥିଲା ଏବଂ ଏଥିରେ ଆଠ ଜଣ ଶ୍ରମିକ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version