Site icon Odisha.com

୨୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା: ରାଜସ୍ୱ ବିଭାଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ୨୪ଟି ଜିଲ୍ଲାରେ ବର୍ତମାନ ସୁଦ୍ଧା ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବାରୁ ସଂପୃକ୍ତ ଜିଲ୍ଲା ଗୁଡ଼ିକରେ ଚାଷ କାମ ଆରମ୍ଭ କରିବାରେ ବିଳମ୍ବ ହୋଇଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବରଗଡ, ବଲାଙ୍ଗୀର, କନ୍ଧମାଳ, ନୟାଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି ।

ସୋମବାର ସୁଦ୍ଧା ରେକର୍ଡ ହୋଇଥିବା ବର୍ଷାର ଅନୁପାତରୁ ଏହି ତଥ୍ୟ ଜଣାପଡ଼ିଛି । ସାଧାରଣତଃ ଜୁନ୍ ମାସରେ ମୌସୁମୀ ଆସିବାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି ।

ଜୁନ୍ ଓ ଜୁଲାଇ ମାସ ୯ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଯେତିକି ବର୍ଷା ହେବା କଥା ସେତିକି ପରିମାଣର ବର୍ଷା ହୋଇନାହିଁ । ଅନୁଗୁଳରେ ୧୬ ପ୍ରତିଶତ ହୋଇଥିବା ବେଳେ ବାଲେଶ୍ୱରରେ ୫୭, ଭଦ୍ରକରେ ୩୩, ବୌଦ୍ଧରେ ୧୮, କଟକରେ ୨, ବେଗଡରେ ୪୦, ଢେଙ୍କାନାଳରେ ୧୪, ଗଜପତିରେ ୨୧, ଗଞ୍ଜାମରେ ୧୭ ଓ ଜଗତସିଂହପୁରରେ ୩୦ ପ୍ରତିଶତ ବର୍ଷା ହୋଇଛି ।

ସେହିପରି ଯାଜପୁରରେ ୨୭, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୩, କେନ୍ଦ୍ରାପଡାରେ ୩୦, କେନ୍ଦୁଝରରେ ୩୪, ଖୋର୍ଦ୍ଧାରେ ୮, କୋରାପୁଟରେ ୩୩, ମାଲକାନାଗିରିରେ ୧୦, ମୟୂରଭଞ୍ଜରେ ୨୮, ନବରଙ୍ଗପୁରରେ ୧୯, ନୂଆପଡାରେ ୩୫, ପୁରୀରେ ୩୨, ରାୟଗଡାରେ ୨୩ ଓ ସୁନ୍ଦରଗଡରେ ୨୪ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version