Site icon Odisha.com

ଅଙ୍ଗନବାଡ଼ି ଶିଶୁ ମୃତ୍ୟୁ: କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୧(ଓଡ଼ିଶା ଡ଼ଟ୍ କମ୍) ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥ ଭୁଶୁଡ଼ି ମୃତ୍ୟୁ ବରଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପରିବାରକୁ ଅନ୍ୟୁନ ଦଶ ଲକ୍ଷ ଟଙ୍କା ସହାୟତା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡ଼ିଏସ୍ ଓ ପକ୍ଷରୁ ବୁଧବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟର ସମସ୍ତ ସ୍କୁଲର ଭିତ୍ତିଭୂମି ତଥା ଅଙ୍ଗନବାଡ଼ି ଗୁଡିକର ନିଜସ୍ୱ ଗୃହ ନିର୍ମାଣ ଏବଂ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ବଳ ଭିତ୍ତିଭୂମି ପାଇଁ ଦାୟୀ ଅଫିସରଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବାକୁ ଦାବି କରାଯାଇଛି ।

ଅଲ୍ ଇଣ୍ଡିଆ ଡ଼ିଏସ୍ଓ ଓଡିଶା ରାଜ୍ୟ ସଭାପତି ଅକ୍ଷୟ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସ୍ଥଳରେ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଏକ ପ୍ରତିନିଧି ଦଳ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

କାସ୍ଥ ଭୁଶୁଡ଼ି ସାତ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ସରକାର ଚିରାଚରିତ ଢଙ୍ଗରେ ତଳିଆ କର୍ମଚାରୀଙ୍କୁ ନିଲମ୍ବନ, ଘଟଣାର ତଦନ୍ତ ନିର୍ଦ୍ଦେଶ ଓ ମୃତ ଛାତଛ୍ରାତ୍ରୀଙ୍କ ପରିବାର ବର୍ଗଙ୍କୁ ଅତି ସ୍ୱଳ୍ପ ଅନୁକମ୍ପାମୂଳକ ରାଶି ଯୋଗାଇଦେଇ ନିଜର କର୍ତବ୍ୟ ଶେଷ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି ।

ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବରୁ ଗଛ ତଳେ, କାହା ଘର ବାରଣ୍ଡାରେ, କୌଣସି କ୍ଲବ୍ ରେ ଅଥବା ଅତ୍ୟନ୍ତ ବିପଦଜ୍ଜନକ ଅବସ୍ଥାରେ ଥିବା ପରିତ୍ୟକ୍ତ ଗୃହରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଚଳାଇ ରଖିବାକୁ ଶିକ୍ଷକ ଓ ଅଙ୍ଗନବାଡି କର୍ମୀମାନେ ବାଧ୍ୟ ହେଉଛନ୍ତି ।

ଗାଁର ଜନଗଣ, ଶିକ୍ଷକ ଓ ଅଙ୍ଗନବାଡି କର୍ମୀମାନେ ବାରବାର ନିବେଦନ କରିବା ସତ୍ତ୍ୱେ ମଧ୍ୟ ଅଙ୍ଗନବାଡି ଗୁଡିକର ନିଜସ୍ୱ ଗୃହ ବା ସ୍କୁଲ ଗୁଡିକର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେଣୁ ସରକାରୀ ଉଦାସୀନତା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନଦୀପ ଲିଭିଯାଉଛି ।

ଦାବି ମାନିବାକୁ ସରକାରଙ୍କୁ ବାଧ୍ୟ କରିବା ପାଇଁ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାକୁ ରାଜ୍ୟର ସମସ୍ତ ସ୍ତରର ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀଙ୍କୁ ଆହ୍ୱାନ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version