ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୧୬(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ସ୍ଥାନରେ ନିଯୁକ୍ତ ଡାକ୍ତରମାନେ ବିନା ଅନୁମତିରେ ଅନୁପସ୍ଥିତ ରହିଲେ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହା କହିଛନ୍ତି । ବର୍ଷାଦିନ ଆସିଯାଇଥିବାରୁ ମ୍ୟାଲେରିଆ ଏବଂ ଝାଡାବାନ୍ତି ଭଳି ରୋଗ ପ୍ରତି ସତର୍କ ରହିବାକୁ ସେ ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସମୟର ପରିବର୍ତନ ସହ ଡାକ୍ତରମାନଙ୍କ ମାନସିକତାରେ ମଧ୍ୟ ପରିବର୍ତନ ଆସିବା ଉଚିତ୍ । ବର୍ତମାନର ଯୁବ ଡାକ୍ତରପୀଢି ରାଜ୍ୟର ଅନୁନ୍ନତ ପଛୁଆ ଅଞ୍ଚଳରେ ଲୋକଙ୍କ ସେବା କରିବକୁ ଆଗଭର ହେବାକୁ ସେ ଆଶା ପୋଷଣ କରିଛନ୍ତି ।
ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଥିବା ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ରହିଛନ୍ତି କି ନାହିଁ ସେ ସଂପର୍କରେ ମୁଖ୍ୟ ଚିକିିତ୍ସା ଅଧିକାରୀମାନେ ତାରଖ କରି କେଉଁ ମାନେ ଦୀର୍ଘଦିନ ଧରି ବିନା ଅନୁମତିରେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କର ତାଲିକା ସରକାରଙ୍କୁ ପ୍ରଦାନ କରିବାକୁ କୁହାଯାଇଛି ।
ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରି ନାହିଁ । ତୁରନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ଉପସ୍ଥାନ ବ୍ୟବସ୍ଥା ଅନୁଯାୟୀ ଦରମା ପ୍ରଦାନ କରାଯିବ ।
କେତେକ ସ୍ଥାନରେ ବିଭିିନ୍ନ ଔଷଧ ସମୟ ଅତକାନ୍ତ ହୋଇ ନଷ୍ଟ ହେଉଥିବା ଏବଂ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଡାକ୍ତରଖାନାର ଔଷଧ ଦିଆ ନଯାଇ ବାହାର ଦୋକାନରୁ କିଣିବାକୁ କୁହାଯାଉଥିବା ଅଭିଯୋଗ ହେଉଛି ।
ଜିଲ୍ଲାମୁଖ୍ୟ ଚିକତ୍ସାଧିକାରୀମାନଙ୍କ ଅଧୀନରେ ଖାଲି ଥିବା ସମସ୍ତ ପାରାମେଡିକାଲ ଏବଂ ଅନ୍ୟାନ୍ୟ ପଦବି ସେମାନେ ଯଥା ଶୀଘ୍ର ପୂରଣ କରିବାକୁ ମଧ୍ୟ କୁହାଯାଇଛି । ସ୍ୱତନ୍ତ୍ର ବିଦ୍ୟୁତ ସରବରାହ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି ।
୩ଟି ଯାକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ବିଦ୍ୟୁତ ଏବଂ ପି.ଏଚ୍.ଡି ବ୍ୟବସ୍ଥାକୁ ଆଉଟସୋର୍ସିଂ ମଧ୍ୟମରେ ଚଳାଇବାକୁ ନିଷ୍ପତ୍ତି ହୋଇଛି ।
ଡାକ୍ତର ଏବଂ ଅନ୍ୟ ସମସ୍ତ କର୍ମଚାରୀମାନଙ୍କର ସି.ସି.ଆର୍ ଠିକଣା ସମୟରେ ଦେଇ ସେମାନଙ୍କର ପଦୋନ୍ନତିରେ ସାହାଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍