ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଗଣଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ଅନୁଧ୍ୟାନ ପାଇଁ ସରକାର ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ କମିଟି ଗଠନ କରିଛନ୍ତି ।
ଏହି କମିଟି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ପ୍ରଚଳିତ ନିୟମ ଅନୁସାରେ ଗଣଶିକ୍ଷକ ମାନଙ୍କ କ୍ୟାରିୟର ଆଡ଼ଭାନ୍ସମେଣ୍ଟ ଆଦି ଦିଗରେ ଏହି କମିଟି ତର୍ଜମା କରିବ ।
କାର୍ଯ୍ୟରତ ଗଣଶିକ୍ଷକ ମାନଙ୍କ ଦୀର୍ଘଦିନର ଦାବି ଗୁଡ଼ିକର ସମାଧାନ ପାଇଁ ଏହି କମିଟି ଗଠନ କରାଯାଇଥିବା ବେଳେ ଗଣଶିକ୍ଷକ ମାନଙ୍କ ସମସ୍ତ ଦାବି ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଆସନ୍ତା ଚାରି ମାସ ମଧ୍ୟରେ ଉକ୍ତ କମିଟି ରିପୋର୍ଟ ଦାଖଲ କରିବ ବୋଲି ସେ କହିଛନ୍ତି ।
ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ, ଯୋଜନା ଓ ସମନ୍ୱୟ ବିଭାଗ, ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଏହି କମିଟିର ସଭ୍ୟ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍