Site icon Odisha.com

ହୀରାକୁଦରୁ ୨୪ରେ ପ୍ରଥମ ବନ୍ୟା ଜଳ ନିଷ୍କାସନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଜୁଲାଇ ୨୨(ଓଡ଼ିଶା ଡ଼ଟ୍ କମ୍) ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଆସନ୍ତା ୨୪ତାରିଖରେ ନିଷ୍କାସନ କରାଯିବ ବୋଲି କୁହାଯାଇଛି ।

ବନ୍ୟା ଜଳ ମହାନଦୀରେ ଯାଇ ୨୫ ତାରିଖ ଅପରାହ୍ନରେ ନରାଜ୍ ଓ ୨୬ ତାରିଖ ସକାଳେ ମହାନଦୀ ମୁହାଣ ପାରାଦୀପରେ ପହଞ୍ଚିବ ।

୨୪ ତାରିଖ ଅପରାହ୍ନ ୩ଟାରେ ବନ୍ୟା ଜଳ ନିଷ୍କାସନ ପୂର୍ବରୁ ପ୍ରତ୍ୟେକ ୫ ମିନିଟ୍ରେ ଉଚ୍ଚ କ୍ଷମତା ବିଶିଷ୍ଟ ସାଇରନ୍ ବାଜିବ ଏବଂ ୩ଟା ୪୫ମି. ପରେ ପ୍ରତ୍ୟେକ ୨୦ ସେକେଣ୍ଡରେ ୧୫ ମିନିଟ୍ ପାଇଁ ଥରେ ଲେଖାଏଁ ସାଇରନ ବାଜିବ ।

ଉକ୍ତଦିନ ଅପରାହ୍ନ ୪ଟା ପରେ ମସ୍ୟଜୀବୀଙ୍କୁ ମହାନଦୀକୁ ନଯିବା ପାଇଁ ଜଳଭଣ୍ଡାର କର୍ତୃପକ୍ଷ ନିବେଦନ କରିଛନ୍ତି । ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୦୦.୦୮ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୫ ହଜାର ୪୯୧ ଘନଫୁଟ୍ ଜଳ ପ୍ରବେଶ କରୁଛି ।

ସେହିପରି ବିଭିନ୍ନ କେନାଲରେ ସମୁଦାୟ ୨୪ ହଜାର ୮୫୨ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ପାୱାର ଚେନାଲରେ ୨୦ ହଜାର ୯୭୧ ଘନଫୁଟ୍, ବରଗଡ଼ କେନାଲରେ ୩ ହଜାର ୫୩୦ ଘନଫୁଟ୍, ଶାସନ କେନାଲରେ ୩୦୦, ସମ୍ବଲପୁର କେନାଲରେ ୪୪ ଓ ହୀରାକୁଦ କେନାଲରେ ୭ ଘନଫୁଟ୍ ଜଳ ନିଷ୍କାସିତ ହେଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version