Site icon Odisha.com

କଟକ: ବିଦ୍ୟୁତ କାଟ୍ ବନ୍ଦ ପ୍ରତିବାରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁଲାଇ ୨୩(ଓଡ଼ିଶା ଡ଼ଟ୍ କମ୍) ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବା ସହ ବିଦ୍ୟୁତ୍ କ୍ଷେତ୍ରରେ ଘରୋଇକରଣ ବାତିଲ କରିବା, ବିଦ୍ୟୁତ କାଟ ତୁରନ୍ତ ବନ୍ଦ କରିବା ଦାବିରେ ଯୁବ ସଂଗଠନର ଅଲ୍ ଇଣ୍ଡିଆ ୟୁଥ୍ ଅର୍ଗାନାଇଜେସନ୍ (ଏଆଇଡ଼ିୱାଇଓ) ପକ୍ଷରୁ କଟକ ସ୍ଥିତ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସଂଗଠନର ସଭାପତି ତଥା ରାଜ୍ୟ ସଂପାଦକଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ଶୋଭାଯାତ୍ରା ବାହାରି ସେସୁ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ କରିଥିଲେ । ଘରୋଇକରଣ ପରେ ବିଦ୍ୟୁତ୍ ସମସ୍ୟା ଆହୁରି ବୃଦ୍ଧି ପାଇଛି ବୋଲି ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ କୁହାଯାଇଛି ।

କ୍ଷତି ଭରଣା କରିବାକୁ ଜନଗଣଙ୍କ ତଣ୍ଟି ଚିପି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଉଛି ଓ ଅନ୍ୟାୟ ଭାବେ ପିଛିଲାତାରିଖରୁ ବର୍ଦ୍ଧିତ ଶୁଳ୍କ ଆଦାୟ ଘୋଷଣା କରାଯାଇଛି ।

ତେବେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ କରିବା, ଲୋଭୋଲ୍ଟେଜ୍ ସମସ୍ୟା ଦୂର କରିବା, ବିଜୁଳି କାଟ ବନ୍ଦ କରିବା ଆଦି ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆନଯାଇ ସାଧାରଣ ଜନତାଙ୍କୁ ହଇରାଣ ହରକତ କରାଯାଉଛି ବୋଲି ଅଭିଯୋଗ କରାଯାଇଛି ।

ଦାବି ପୂରଣ ପାଇଁ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନପକ୍ଷରୁ ଏକ ଦାବିପତ୍ର ସେସୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ଏବଂ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version