Site icon Odisha.com

ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ମଧ୍ୟ ମମତା ଯୋଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଲକ୍ଷ୍ୟରେ ସରକାର ନିଜସ୍ୱ ପାଣ୍ଠିରେ ଆରମ୍ଭ କରିଥିବା ମମତା ଯୋଜନା ସହରାଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ସରକାର ଘୋଷଣା କରିଛନ୍ତି ।

ଏହାଦ୍ୱାରା ସହରାଞ୍ଚଳର ମା’ମାନେ ବିଶେଷ କରି ମୂଲ ମଜୁରୀ ଲାଗି ଚଳୁଥିବା ଗର୍ଭବତୀ ମା ମାନଙ୍କ ପାଇଁ ଏହି ସହାୟତା ବିଶେଷ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ଯୋଜନା ଅନୁଯାୟୀ ୧୯ ବର୍ଷ ବୟସରୁ ଉର୍ଦ୍ଧ୍ଵ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଚାରୋଟି କିସ୍ତିରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବସ୍ଥାର ଛଅ ମାସ ପରେ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ପଞ୍ଜୀକରଣ ସହିତ ପ୍ରତିଷେଧକ ଟୀକା ନେଇଥିବା ମା ମାନଙ୍କୁ ପ୍ରଥମ କିସ୍ତିରେ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ ।

ଶିଶୁ ଜନ୍ମର ତିନି ମାସ ପରେ ତାର ମାନ ପଞ୍ଜୀକରଣ ସହିତ ଆବଶ୍ୟକ ଯତ୍ନ ଓ ଟୀକାକରଣ ହୋଇଥିଲେ ଦ୍ୱିତୀୟ କିସ୍ତିରେ ୧୫୦୦ ଟଙ୍କା ମିଳିବ । ସେହିପରି ଶିଶୁକୁ ଛଅ ମାସ ହେବା ପରେ ତୃତୀୟ କିସ୍ତିରେ ଏକ ହଜାର ଟଙ୍କା ଏବଂ ଶିଶୁ ନଅ ମାସ ହେବା ପରେ ତାର ଟୀକାକରଣ ଓ ଯତ୍ନକୁ ଭିତ୍ତି କରି ମା’ମାନଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯିବ ।

କେନ୍ଦ୍ର ତଥା ରାଜ୍ୟ ସରକାରୀ କର୍ମଚାରୀ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପରିବାର ବ୍ୟତୀତ ସହରାଞ୍ଚଳର ସମସ୍ତ ଗର୍ଭବତୀ ଓ ପ୍ରସୂତି ମା’ମାନେ ଏହି ସହାୟତା ପାଇପାରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version