Site icon Odisha.com

ଛଅବର୍ଷ କାର୍ଯ୍ୟ କରିଥିବା ନର୍ସଙ୍କୁ ନିୟମିତ କରିବାକୁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ତିନୋଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଠିକା ନର୍ସମାନଙ୍କୁ ସ୍ଥାୟୀ ପଦବୀରେ ନିଯୁକ୍ତି ଦେବାକୁ ସୋମବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଯେଉଁ ଠିକା ନର୍ସମାନେ ଛଅ ବର୍ଷ ନିରନ୍ତର କାର୍ଯ୍ୟ କରିଥିବେ ସେମାନଙ୍କୁ ପ୍ରଚଳିତ ନିୟମ ଅନୁସାରେ ସ୍ଥାୟୀ ପଦବୀରେ ନିୟମିତ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି ।

ଠିକା ଭିତ୍ତିରେ କାର୍ଯ୍ୟରତ ନର୍ସ ମାନଙ୍କୁ ନିୟମିତ ନିଯୁକ୍ତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଅର୍ଥ ବିଭାଗ ମଧ୍ୟ ଏଥିନେଇ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ କରିଛି ।

ଆସନ୍ତା ୧୦ଦିନ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଛଅ ବର୍ଷ କାର୍ଯ୍ୟ କରିଥିବା ଠିକାନର୍ସ ମାନଙ୍କୁ ନିୟମିତ କରାଯିବା ବା ସ୍ଥାୟୀ କରାଯିବା ନେଇ ଆବଶ୍ୟକ ସମସ୍ତ ପଦବୀ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଠିକାନର୍ସ ମାନଙ୍କର ଦରମା ଅସଙ୍ଗତି ସଂପର୍କରେ ଆନାମୋଲି କମିଟି ତର୍ଜମା କରୁଛି । ଏହି କମିଟି ଯଥାଶୀଘ୍ର ତାର ସୁପାରିଶ ସରକାରଙ୍କୁ ପ୍ରଦାନ କରିବା ନିମନ୍ତେ କମିଟିକୁ ଅନୁରୋଧ କରାଯାଇଛି ।

ତେବେ ଆନ୍ଦୋଳନରତ ନର୍ସମାନେ ଆନ୍ଦୋଳନ ପ୍ରତ୍ୟାହୃତ କରି ତୁରନ୍ତ କାର୍ଯ୍ୟରେ ଯେଗଦେବା ଉଚିତ ବୋଲି ସେ କହିଛନ୍ତି । ଠିକାନର୍ସ ମାନଙ୍କର ପ୍ରତ୍ୟେକ ସମସ୍ୟା ଉପରେ ସରକାର ଅବଗତ ଅଛନ୍ତି ଓ ସମାଧାନ ପାଇଁ ନିୟମିତ ପଦକ୍ଷେପ ନେଉଛନ୍ତି ।

ଆଲୋଚନା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ , ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଏବଂ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷକଙ୍କୁ ନେଇ କମିଟି ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଗତ ୧୫ ତାରିଖରୁ ଠିକା ନର୍ସମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version