Site icon Odisha.com

ନୂଆ ଚୁକ୍ତି କରିବାକୁ ଠିକା ନର୍ସଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାରଙ୍କ ସହ ନୂତନ ଚୁକ୍ତି କରିବାକୁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନ୍ଆର୍ଏଚ୍ଏମ୍) ଅଧିନରେ କାର୍ଯ୍ୟରତ ନର୍ସ ମାନଙ୍କୁ ଗୁରୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚୁକ୍ତି କରିବା ପରେ ଆନ୍ଦୋଳନ କରିଥିବା ଏହି ନର୍ସମାନେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି କୋର୍ଟ ଦର୍ଶାଇଛନ୍ତି । ଯେଉଁମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବେ ସେମାନଙ୍କର ଚୁକ୍ତି ବିଷୟରେ ପରେ ନିଷ୍ପତି ନିଆଯିବ ବୋଲି କୋର୍ଟ କହିଛନ୍ତି ।

ତେବେ ଗତ ଦଶଦିନ ଧରି ଆନ୍ଦୋଳନ ଚଳାଇଥିବା ଠିକା ନର୍ସ ମାନେ ଚୁକ୍ତି କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଛି । ପୂର୍ବରୁ କୌଣସି ସୂଚନା ନେଇ ଏହି ନର୍ସମାନେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କୁ ପୁଣି ଚୁକ୍ତି କରିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ବୁଧବାର ନର୍ସମାନେ ଆନ୍ଦୋଳନ ପ୍ରତ୍ୟାହାର କରି ଗୁରୁବାର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ଚୁକ୍ତି ନେଇ ଡ଼ାକ୍ତରଖାନା କର୍ତୃପକ୍ଷଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version