Site icon Odisha.com

ଘରୋଇ ଡାକ୍ତରଖାନାରେ ବିପିଏଲ୍ ରୋଗୀଙ୍କୁ ମାଗଣା ଚିକିତ୍ସା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) କର୍ପୋରେଟ ଏବଂ ଘରୋଇ ଡାକ୍ତରଖାନା ଗୁଡ଼ିକର ଆଉଟଡୋରରେ ୨୫ ପ୍ରତିଶତ ଏବଂ ଇନ୍ଡୋରରେ ୧୦ ପ୍ରତିଶତ ବିପିଏଲ୍ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତାହା ନହେଲେ ସରକାର ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ସହିତ ସଂପୃକ୍ତ ଡ଼ାକ୍ତରଖାନାକୁ କଳାତାଲିକାଭୁକ୍ତ କରି ସେମାନଙ୍କ ରେଫେରାଲକୁ ବାତିଲ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

କର୍ପୋରେଟ ଏବଂ ଘରୋଇ ଡାକ୍ତରଖାନା ଗୁଡିକ ରାଜ୍ୟର ବିପିଏଲ୍ ପରିବାର ଗୁଡିକୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏବଂ ସେହି ସବୁ ଡାକ୍ତରଖାନା ଗୁଡିକୁ ରେଫେରାଲ ଡାକ୍ତରଖାନା ଭାବେ ଘୋଷଣା କରିବା ନେଇ ଶନିବାର ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ବିପିଏଲ୍ ପରିବାରର ରୋଗୀ କିମ୍ବା ସରକାରୀ କର୍ମଚାରୀମାନେ ସେଠାରେ ସିଧାସଳଖ ପ୍ରଥମେ ଆଡ଼ମିଶନ ହୋଇ ପାରିବେ ନାହିିଁ । କେବଳ ସରକାରୀ ଡାକ୍ତରଖାନାରୁ ରେଫର ହୋଇ ଚିକିତ୍ସା ପାଇଁ ଯାଇ ପାରିବେ ।

ଯେଉଁମାନେ ରେଫର ହୋଇ ଯିବେ ଯଦି ସେମାନେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିମା ଯୋଜନା ଅନ୍ତର୍ଭୁକ୍ତ ହୋଇଥାଆନ୍ତି ତାହାହେଲେ ପ୍ରଥମେ ସେଥିରୁ ଟଙ୍କା ଭରଣା ହେବ । ବିମା ଯୋଜନାରୁ ଅଧିକ ହେଲେ ତାହା ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ପ୍ରଦାନ କରାଯିବ ।

ସଂପୃକ୍ତ ଡ଼ାକ୍ତରଖାନାରେ ରୋଗୀଙ୍କୁ କୌଣସି ପ୍ରକାର ହଇରାଣ ହରକତ କରାଯିବ ନାହିଁ । ଏଥିପାଇଁ ରୋଗୀ ସମସ୍ତ ପ୍ରକାର ଔଷଧ ବିଲ୍ ଡିଏମ୍ଇଟିଙ୍କ ନିକଟକୁ ପଠାଇବେ । ତାହା ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ପ୍ରଦାନ କରିଯିବ ।

ସେହିପରି କୌଣସି ରୋଗୀର ଚିକିତ୍ସା ବାବଦକୁ ଧାର୍ଯ୍ୟଥିବା ସର୍ବୋଚ୍ଚ ଦେୟ ବିଲ୍ ନକରି ପ୍ରକୃତ ଖର୍ଚ୍ଚ ବିଲ୍ କରିବେ । ଯଦି ସେପରି କରନ୍ତି ତାହା ହେଲେ ଜଣା ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି କୌଣସି ବିପିଏଲ୍ ପରିବାର ରେଫରାଲ ନହୋଇ ସିଧାସଳଖ ଭର୍ତି ହୋଇଥାଆନ୍ତି ତାହା ହେଲେ ସଂପୃକ୍ତ ରୋଗୀଙ୍କର ସମସ୍ତ ଖର୍ଚ୍ଚ ସେହି ଡାକ୍ତରଖାନା ତାଙ୍କର କର୍ପୋରେଟ୍ ଫଣ୍ଡରୁ ବହନ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କେବଳ ଜରୁରୀ କାଳୀନ ପରିସ୍ଥିତିରେ ସେମାନେ ଆଡମିଶନ କରି ପାରିବେ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ଏବଂ ତାହା ସେମାନଙ୍କୁ ସମସ୍ତଙ୍କୁ ଯୋଗାଇଦିଆଯିବ ।

କୌଣସି ପରିସ୍ଥିତିରେ ବିପିଏଲ୍ ପରିବାର ଭୁକ୍ତ ରୋଗୀଙ୍କୁ ହଇରାଣ ହରକତ କରାଯିବ ନାହିଁ । ଯେଉଁ ଡାକ୍ତରଖାନା ପାଇଁ ସରକାର ଜମି ଦେଇଛନ୍ତି ବା ନେଇଛନ୍ତି ସମସ୍ତଙ୍କୁ ଏହି ନିୟମ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version