Site icon Odisha.com

ବର୍ଷା ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ଘୂର୍ଣ୍ଣିବଳୟ ଯୋଗୁଁ ଗତ ଦୁଇଦିନ ଧରି ଲାଗି ରହିଥିବା ବର୍ଷା ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବର୍ଷା ଯୋଗୁଁ ବିଭିନ୍ନ ଅଂଚଳ ଜଳ ଘେରରେ ରହିଛି । ହୀରାକୁଦରେ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳ ବୁଡ଼ି ରହିଛି । ବଂଶଧାରା ନଦୀରେ କୋଶିନଗର ଠାରେ ବିପଦ ସଂକେତ ନିକଟତର ଦେଇ ଜଳ ପ୍ରବାହିତ ହେଉଥିବା ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି ।

ଏଠାରେ ବିପଦ ସଂକେତ ସ୍ତର ୫୪.୭୭ ମିଟର ଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୫୪.୬୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହୋଇଛି ।

ସେହିପରି ମହାନଦୀର ଖିରମାଳ, ଟିକରପଡ଼ା ଠାରେ ଜଳପତ୍ତନ ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀର ଚନ୍ଦନପୁର ଠାରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ବର୍ଷା ଯୋଗୁଁ ଉତ୍ତେଇ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ବନ୍ୟା ଜଳ ବନ୍ଧ ଡ଼େଇଁ ସହର ମଧ୍ୟକୁ ପ୍ରବେଶ କରିଛି । ଶୁକ୍ରବାର ଜିଲ୍ଲାରେ ୨୨୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଆସିଛି ।

ଉତ୍ତର ଓଡ଼ିଶା ଉପକୂଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଶୁକ୍ରବାର ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version