Site icon Odisha.com

ଯାଜପୁର: ମାଓବାଦୀ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଅଗଷ୍ଟ ୭(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ମଙ୍ଗଳବାର ପୋଲିସ ଏକ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି ।

ଅରଡ଼ାପାଳ ଜଙ୍ଗଲ ଅଞ୍ଚଳରେ ଏହି ମାଓ କ୍ୟାମ୍ପକୁ ଠାବ କରାଯାଇଥିବା ବେଳେ ଜବତ ସାମଗ୍ରୀ ମଧରେ ଏକ ଶହଟି ଡ଼ିଟୋନେଟର, ସାତଟି ବୁଷ୍ଟର, ୧୪୬ଟି ଜୀବନ୍ତ ଗୁଳି, ସାତଟି ପିସ୍ତଲ, ତିନୋଟି ରାଇଫଲ ଏବଂ ମାଓବାଦୀ ପ୍ରଚାର ପତ୍ର ରହିଥିବା କଳିଙ୍ଗନଗର ଥାନା ଅଧିକାରୀ କିଶୋର ଚନ୍ଦ୍ର ମୁଣ୍ଡା କହିଛନ୍ତି ।

ସିଆର୍ପିଏଫ୍ ଏବଂ ଏସ୍ଓଜି ଯବାନ ଏହି କୁମ୍ବିଂ ଅପରେଶନରେ ସାମିଲ ହୋଇଥିବା ବେଳେ ମାଓବାଦୀମାନେ ଯବାନ ଆସିବା ଜାଣିପାରି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ବାଲିପୁର ଗ୍ରାମର ଗିରଫ ମାଓବାଦୀ ରବି ମୁର୍ମୁର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀମାନେ ଏହି ଅଂଚଳରେ କୁମ୍ବି ଅପରେଶନ ଚଳାଇଥିଲେ । ମାଓବାଦୀମାନେ ଜଙ୍ଗଲରେ ଥିବା କ୍ୟାମ୍ପରେ ମାଟିତଳେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଚାଇ ରଖିଥିଲେ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version