Site icon Odisha.com

ଚଳିତବର୍ଷ ୧୯୨ ଘରୋଇ ଆଇଟିଆଇରେ ନାମ ଲେଖା ନିଷେଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର୧୯୨ଟି ଘରୋଇ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖାକୁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ପକ୍ଷରୁ ନିଷେଧ କରାଯାଇଛି ।

ଏହି ସମସ୍ତ ଅନୁଷ୍ଠାନରେ ନାମ ଲେଖାଯାଇପାରିବ ନାହିଁ ବୋଲି ଡିଟିଇଟି ପକ୍ଷରୁ କୁହାଯାଇଛି । ଫଳରେ ପ୍ରାୟ ଦଶ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି । ରାଜ୍ୟରେ ୬୩୮ଟି ଆଇଟିଆଇ ଥିବା ବେଳେ ସେଥିରୁ ମାତ୍ର ୩୨ଟି ସରକାରୀ ।

ଅବଶିଷ୍ଟ ଘରୋଇ ଆଇଟିଆଇରେ କିଭିଳି ଶିକ୍ଷାଦାନ କରାଯାଉଛି ସେ ସଂପର୍କରେ ଗତ ବର୍ଷ ଯାଞ୍ଚ ହୋଇଥିଲା । ୨୦୧୧ ଜୁନ୍ ମାସରେ ମିଳିଥିବା ରିପୋର୍ଟ ଅନୁସାରେ ୧୯୨ଟି ଆଇଟିଆର ଫଳାଫଳ ଅତ୍ୟନ୍ତ ଆପତ୍ତିଜନକ ବୋଲି ଜଣାପଡ଼ିଥିଲା ।

ବିଭିନ୍ନ ଆଇଟିଆଇରେ ଛାତ୍ରଛାତ୍ରୀ ନଥିବା ବେଳେ କେବଳ ଛ୍ମ ନାମରେ ଏହି ସଂସ୍ଥା ଗୁଡ଼ିକ ଚାଲିଛି । ଏଭଳି ଅନେକ ଅଭିଯୋଗକୁ ନେଇ ଯାଞ୍ଚ କମିଟି ରିପୋର୍ଟପ୍ରସ୍ତୁତ କରିଥିଲା । ଏହି ରିପୋର୍ଟ ମିଳିବା ପରେ ତାଲିମ ନିର୍ଦ୍ଦେଶାଳୟ ତର୍ଜ୍ଜମା କରିଥିଲେ ଏବଂ ଚଳିତ ବର୍ଷ ଏହି ୧୯୨ ଆଇଟିଆଇରେ ନାମ ଲେଖା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତି ହୋଇଥିଲା ।

ଜୁଲାଇ ୩୧ ତାରିଖରେ ଡିଟିଇଟି ଏହି ସବୁ ସଂସ୍ଥାକୁ ଚିଠି ଲେଖି ୨୦୧୨ ବର୍ଷ ପାଇଁ ନାମ ଲେଖା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଏହି ସଂସ୍ଥା ଗୁଡ଼ିକରେ ଦଶ ହଜାର ଛାତ୍ରଛାତ୍ରୀଙ୍କ ନାମ ଲେଖା ଶେଷ ହୋଇଯାଇଥିଲା ।

ତେବେ ଘରୋଇ ଆଇଟିଆଇ ସଂଘ ତାଲିମ ନିର୍ଦ୍ଦେଶାଳୟର ଏହି ନିଷ୍ପତିକୁ ବିରୋଧ କରି ଏହାର ପୁନର୍ବିଚାର କରିବାକୁ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version