Site icon Odisha.com

ଓଡିଶାର ଡାଃ ପି.କେ.ବି ପଟ୍ଟନାୟକଙ୍କୁ ଆନ୍ତର୍ଜାତିକ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୬ (ଓଡ଼ିଶା ଡ଼ଟ୍ କମ୍) ଡାଃ ପି.କେ.ବି ପଟ୍ଟନାୟକ ଚଳିତ ବର୍ଷ ପାଇଁ ସମ୍ମାନଜନକ ଆନ୍ତର୍ଜାତିକ ଡାମିଏନ୍-ଡଟନ୍ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି ।

ସମାଜରୁ କୁଷ୍ଠ ରୋଗର ନିରାକରଣ ଓ କୁଷ୍ଠ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱର ଜଣେ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୪୪ ମସିହାରେ ଆମେରିକା ସେନାର ମେଡିକାଲ କର୍ପସରେ କାର୍ଯ୍ୟରତ ଷ୍ଟାଫ୍ ସର୍ଜେଣ୍ଟ ହାଓା୍ୱର୍ଡ ଇ କ୍ରଚ୍ଙ୍କ ଦ୍ୱାରାପ୍ରତିଷ୍ଠିତ ଡାମିଏନ୍-ଡଟନ୍ କୁଷ୍ଠ ସମିତି ଗଠିତ ହୋଇଥିଲା ।

ଏହି ସମିତି ତରଫରୁ ୧୯୫୩ ମସିହାରୁ କୁଷ୍ଠ ରେଗୀଙ୍କ ସେବାରେ ନିୟୋଜିତ ଏବଂ କୁଷ୍ଠ ନିରାକରଣ କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟକରୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଏହି ସମ୍ମାନଜନକ ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯାଇ ଆସୁଅଛି । ଭାରତ ବର୍ଷରୁ ଏହି ପୁରସ୍କାର ପାଇବାରେ ଡାଃ ପଟ୍ଟନାୟକ ହେଉଛନନ୍ତି ଅଷ୍ଟମ ବ୍ୟକ୍ତି । ପୂର୍ବରୁ ପ୍ରଥମେ ୧୯୭୦ ମସିହାରେ ଡାଃ ଧର୍ମେନ୍ଦ୍ର ଏହି ପୁରସ୍କାର ପାଇଥିଲେ ।

ତାପରେ ୧୯୮୩ ରେ ବାବା ଆମେତ୍ , ୧୯୮୪ ରେ ମଦର ଟେରେସା , ୧୯୯୩ ରେ ସି.କେ.ଜାକପ୍ , ୨୦୦୦ ରେ କେ.ସି.ଶେୀକାନ୍ , ୨୦୦୫ ରେ ଏଲିଜା ଟି ରୋଜ୍ ଏବଂ ୨୦୦୬ ରେ ଇ.ପି.ଫ୍ରିଟିସ୍ ଏହି ପୁରସ୍କାର ପାଇଥିବା ବେଳେ ଦୀର୍ଘ ୬ ବର୍ଷ ପରେ ଭାରତରୁ ଡାଃ ପଟ୍ଟନାୟକ ଏହି ପୁରସ୍କାର ପାଉଛନ୍ତି ।

୧୯୬୦ ମସିହା ଅଗଷ୍ଟ ୧୬ ତାରିଖରେ ଜନ୍ମିତ କର୍ଣ୍ଣେଲ ଆର୍.ବି ପଟ୍ଟନାୟକଙ୍କ ପୁତ୍ର ଡାଃ ପଟ୍ଟନାୟକ ୧୯୮୨ ମସିହାରେ ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜରୁ ଏମ୍.ବି.ବି.ଏସ୍ ପାଶ୍ କରି ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ।

ବର୍ତ୍ତମାନ ସେ ରାଜ୍ୟ କୁଷ୍ଠ ଅଧିକାରୀ ଏବଂ ଅଣ-ସଂକ୍ରମିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଅବସ୍ଥାପିତ । ଦୀର୍ଘ ୨୫ ବର୍ଷ ଧରି କୁଷ୍ଠ ନିରାକରଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି ଏବଂ ଓଡିଶାକୁ କୁଷ୍ଠ ମୁକ୍ତ କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ରାଜ୍ୟରେ କୁଷ୍ଠରୋଗୀଙ୍କ ଚିକିତ୍ସା ପାଇଁ ଏମ୍.ଡି.ଟି ଔଷଧ ପ୍ରୋୟଗ କରାଯିବା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ । ସେଥି ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯଉଛି । ଡାଃ ପଟ୍ଟନାୟକ ଏହି ପୁରସ୍କାର ପାଇବାକୁ ମନୋନିତ ହୋଇଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ଆନନ୍ଦ ପ୍ରକାଶ କରି ଏହା କେବଳ ଆମ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ।

ଡାଃ ରାଉତ କହିଛନ୍ତି ଯେ ଡାଃ ପଟ୍ଟନାୟକଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଆଜି ତାଙ୍କୁ ଏହି ସମ୍ମାନର ଅଧିକାରୀ କରାଇ ପାରିଛି । ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ଏବଂ ପଥ ପ୍ରଦର୍ଶକ ହେବ ବୋଲି ଆଶା ପ୍ରକାଶ କରି ତାଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version