Site icon Odisha.com

ଗନ୍ଧମାର୍ଦ୍ଧନ ସୁରକ୍ଷା ପ୍ରତିଶୃତି ପାଳନ ନ ହେବାରୁ ଉ୍ବେଗ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍) -ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଭରା ଐତିହାସିକ ତୀର୍ଥସ୍ଥଳୀ ଗନ୍ଧମାର୍ଦ୍ଧନର ସୁରକ୍ଷା ପାଇଁ ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଅଂଚଳବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ ନ ହେବାରୁ ଉ୍ବେଗ ପ୍ରକାଶ ପାଇଛି ।

ଗନ୍ଧମାର୍ଦ୍ଧନର ସୁରକ୍ଷା ଦାବି ନେଇ ୨୦୦୪ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ନେତା ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ତିନି ହଜାର ବ୍ୟକ୍ତି ନୃସିଂହନାଥରୁ ନବୀନ ନିବାସ ପର୍ଯ୍ୟନ୍ତ ସାଇକଲ ଯାତ୍ରା କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଗନ୍ଧମାର୍ଦ୍ଧନର ସୁରକ୍ଷା ନିମନ୍ତେ ଗନ୍ଧମାର୍ଦ୍ଧନକୁ ଜୈବ ମଣ୍ଡଳ ଘୋଷଣା କରିବା ପାଇଁ ଦାବି କରାଯିବା ସହ ସମସ୍ତ ପ୍ରକାର ଖଣିଖନନ ବନ୍ଦ କରାଯିବାକୁ ଦାବି ପତ୍ର ଦିଆଯାଇଥିଲା । ଏହା ସହିତ ନୃସିଂହନାଥ ମନ୍ଦିରର ବିକାଶ ନିମନ୍ତେ ଅନୁରୋଧ କରାଯାଇଥିଲା ।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସକାରାତ୍ମକ ମନୋଭାବ ପୋଷଣ କରିଥିଲେ । ତେବେ ବିକାଶର ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଥିବା ଏବଂ ଗନ୍ଧମାର୍ଦ୍ଧନକୁ ସଂରକ୍ଷିତ ଅଂଚଳ ଘୋଷଣାର ପ୍ରସ୍ତାବ ଏବେ ମଧ୍ୟ ନାଲିଫିତା ତଳେ ଚାପି ହୋଇ ରହିଥିବାରୁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷର ୨୮ ତମ ପ୍ରତିଷ୍ଠା ଦିବସରେ ଉ୍ବେଗ ପ୍ରକାଶ ପାଇଥିଲା ।ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଚେତେଇ ଦେବା ପାଇଁ ଆବଶ୍ୟକ ସ୍ଥଳେ ପୁଣି ଏକ ସାଇକଲ ଯାତ୍ରାର ଆୟୋଜନ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ପାଇକମାଲ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷର ପ୍ରତିଷ୍ଠା ଉତ୍ସବରେ ସୁଶ୍ରୀ ଫାର୍ମାସିନୀ ଶାହା,ମୀନା ବାରିକ,ଜାହ୍ନବୀ ପଟ୍ଟନାୟକ,ଅଭୟ ତ୍ରିପାଠୀ, ମୁକୁନ୍ଦ ହଂସ,ବିପ୍ର ବିଶି ଓ ରଘୁମଣୀ ବାଗଙ୍କୁ ନେଇ ଗଠିତ ସଭାପତି ମଣ୍ଡଲୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହାକ ଧୀରେନ ମହାନ୍ତି ସ୍ୱାଗତ ଜଣାଇବା ସହ ପ୍ରକାଶ କରିଥିଲେ ଯେ ଗନ୍ଧମାର୍ଦ୍ଧନ ପର୍ବତରେ ଗଚ୍ଛିତ ବକସାଇଟ ଖନନ ପାଇଁ ବାଲକୋ କମ୍ପାନୀ ଖଣି ଖନନ କରୁଥିବାରୁ ଗନ୍ଧମାର୍ଦ୍ଧନର ସୁରକ୍ଷା ସହ ବାଲକୋ କମ୍ପାନୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ୧୯ ଅଗଷ୍ଟ ୧୯୮୩ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଗଠିତ ହୋଇଥିଲା ।

ଏହାର ନିଷ୍ଠାପର ଉଦ୍ୟମ ସହ ସ୍ଥାନୀୟ ଜନସାଧାରଣଙ୍କ ଭାଗିଦାରୀ ଯୋଗୁଁ ଏହି ପ୍ରକଳ୍ପରୁ ବାଲକୋ କମ୍ପାନୀ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲା ।ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ବାଳକୋ ହଟାଓ ଆନ୍ଦୋଳନ ଦେଶର ଅନ୍ୟତମ ସଫଳ ଜନତାନ୍ତ୍ରିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ।

ବାଲକୋ ହଟାଓ ଆନ୍ଦୋଳନ ପରେ ବିଭିନ୍ନ ସମୟରେ ଆର୍ନ୍ତଜାତିକ ସ୍ତରରେ ବିଦେଶୀ କମ୍ପାନୀର ନଜର ଗନ୍ଧମାର୍ଦ୍ଧନର ବକସାଇଟ ଖଣି ଉପରେ ପଡ଼ିଛି ଏବଂ ସେହି ସମୟରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଛି ।ଯାହା ଫଳରେ ଏପର୍ଯ୍ୟନ୍ତ ବହୁରାଷ୍ଟ୍ରୀୟ କମ୍ପାନୀ କବଳରୁ ଗନ୍ଧମାର୍ଦ୍ଧନ ମୁକ୍ତ ରହିଛି ।

ଅନ୍ୟାନ୍ୟ ଆଲୋଚ୍ୟ ପ୍ରସଙ୍ଗ ମଧ୍ୟରେ ଗନ୍ଧମାର୍ଦ୍ଧନର ପ୍ରାକୃତିକ ସମ୍ପଦକୁ ଭିତିକରି ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ, ନୃସିଂହନାଥ ଓ ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବାସ୍ତବ ବିକାଶ ସହ ଉଭୟ ମନ୍ଦିରର ରକ୍ଷଣାବେକ୍ଷଣ କେନ୍ଦ୍ରୀୟ ପ୍ରତ୍ନତତ୍ୱ ବିଭାଗକୁ ପ୍ରଦାନ କରାଯିବା, ନୃସିଂହନାଥରେ ବିଚାରାଧିନ ଥିବା ହାର୍ବେଲ ଟୁରିଜନ ପ୍ରକଳ୍ପ, ସାଇନସ ପାର୍କ ସ୍ଥାପନ ସହ ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା ସହ ଗନ୍ଧମାର୍ଦ୍ଧନ ଜଙ୍ଗଳକୁ ନେଇ ଏକ ସ୍ୱତନ୍ତ୍ର ଫରେଷ୍ଟ ଜୋନ ଗଠନ କରାଯାଇ ଜଣେ ସ୍ୱତନ୍ତ୍ର ଡ଼ି.ଏଫ.ଓ ନିଯୁକ୍ତି, ଗନ୍ଧମାର୍ଦ୍ଧନରେ ମାଓବାଦୀ ପ୍ରସଙ୍ଗ ଆଦି ସ୍ଥାନ ପାଇଥିଲା ।

ଏହି ବୈଠକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ରଘୁବୀର ବରିହା, ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ବ୍ରହ୍ମାଶଙ୍କର ପ୍ରଧାନ, ନରେଶ ପ୍ରଧାନ, ପତି କୁମ୍ଭାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ରଘୁବୀର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version