Site icon Odisha.com

ଇଣ୍ଟରସିଟି ଧକ୍କାରେ ୧୩ ମୃତ,୯ ଗୁରୁତର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଅଗଷ୍ଟ ୨୪ (ଓଡ଼ିଶା ଡ଼ଟ୍ କମ୍)- ଆଜି ସକାଳ ୮ଟା ୪୦ ମିନିଟ୍ ସମୟରେ ସମ୍ବଲପୁର ସିଟିଷ୍ଟେସନ ଓ ମାନେସର ଷ୍ଟେସନ ମଧ୍ୟରେ ଥିବା ତକବା ଜଗୁଆଳି ବିହୀନ ଲେବଲ କ୍ରସିଂଠାରେ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି କ୍ସପେସ୍ ଓଏକ ଟାଟା ପିକ୍ ଅପ୍ ମିନିଟ୍ରକ ମଧ୍ୟରେ ଧକ୍କା ହୋଇଛି ।

ଏହା ଫଳରେ ଗାଡିରେ ବସିଥିବା ୨୨ ଜଣ ଶ୍ରମିକ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୯ ଜଣ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଡାକ୍ତରଖାନାରେ ।

ଘଟଣାରୁ ପ୍ରକାଶ ଯେ, ଟ୍ରେନଟି ସିଟିଷ୍ଟେସନ ଠାରୁ ମାତ୍ର ୨ କିମି ଯିବାପରେ ତାହାର ଗତି ସ୍ୱାଭାବିକ କରିଥିଲା । ତକବା ଗ୍ରାମକୁ ଯିବା ରାସ୍ତା ଜଗୁଆଳି ବିହୀନ ଲେବଲକ୍ରସିଂ ଦେଇ ଶ୍ରମିକମାନଙ୍କୁ ନେଇ ମିନିଟ୍ରକ ସମ୍ବଲପୁର ଆସୁଥିଲା ।

ହଠାତ୍ ଉକ୍ତ ମିନିଟ୍ରକକୁ ଦ୍ରୁତଗାମୀ ଟ୍ରେନ ଧକ୍କା ଦେଇଥିଲା । ଟ୍ରେନ ଧକ୍କାରେ ମିନିଟ୍ରକ ଚୁରମାର ହୋଇ ଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମିନି ଟ୍ରକରେ ଥିବା ଯାତ୍ରୀମାନେ ଛିନଛତ୍ର ହୋଇ ଉଡିଯାଇଥିଲେ । ଏପରିକି କେତେକ ବ୍ୟକ୍ତିଙ୍କ ଶବ ଟ୍ରେନ ଇଂଜିନରେ ଲାଗିଥିବା ଦେଖା ଯାଇଥିଲା ।

ଘଟଣାସ୍ଥଳରେ ମୃତ ୬ ଜଣଙ୍କର ଶରୀର ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡି ରହିଥିଲା । ସଦର ଥାନା ଓ ଧନୁପାଲି ପୋଲିସ ଥାନା ଇନ୍ସିପେକ୍ଟର ସଦଳବଳେ ପହଂଚି ଘଟଣାରେ ବିବରଣୀ ସଂଗ୍ରହ କରିଥିଲେ । ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ସମ୍ବଲପୁର ଓ ବୁର୍ଲା ଡାକ୍ତରଖାନାକୁ ନେବା ରାସ୍ତାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୫ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ ।

ଗୋଟିଏ ମିନିଟ୍ରକରେ ଏତେ ସଂଖ୍ୟକ ଲୋକ ଯିବା ଏବଂ ଟ୍ରେନ ଆସୁଥିବା ଜାଣି ସୁଦ୍ଧା ଡ୍ରାଇଭର ହଠାତ ଗାଡିଟିକୁ ଆଗକୁ ନେଇ ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣା ଯାଇଛି ।

ଏହି ଘଟଣାପରେ ସେଠାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସହସ୍ରାଧିକ ଲୋକ ସେଠାରେ ଏକାଠି ହୋଇ କ୍ଷତିପୂରଣ ଦାବି କରିବାରୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ସେଠାରେ ଜଗୁଆଳି ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version