Site icon Odisha.com

ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ଅନଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗିର,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍)- ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ବଲାଙ୍ଗିର କଲେକ୍ଟରେଟ୍ ସମ୍ମୁଖରେ ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭ ସହ ୧୧ଦଫା ଦାବୀନେଇ ଅନଶନ ଆରମ୍ଭ କରାଯାଇଛି ।

ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ଉପସ୍ଥାପିତ ୧୧ଦଫା ଦାବୀଗୁଡ଼ିକ ମଧ୍ୟରେ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ଓ ଚାଷୀଙ୍କୁ ୨୦୦୬ ବଦଳରେ ୨୦୧୧ବିସ୍ଥାପିତ ନୀତି ଅନୁସାରେ କ୍ଷତିପୂରଣ ଓ ଥଇଥାନ କରିବା ଦାବି ଉପସ୍ଥାପନ କରାଯାଇଛି ।

ବୁଡ଼ି ଅଂଚଳର ଲୋକେ ସମ୍ପୂର୍ଣ୍ଣ ବିସ୍ଥାପିତ ନ ହେଲା ଯାଏ ଉକ୍ତ ଅଂଚଳରେ ମୌଳିକ ସୁବିଧା ଯୋଗାଇ ଦିଆଯିବା ସହ ପ୍ରକଳ୍ପର ଡ଼ାହାଣ ମୂଖ୍ୟ କେନାଲକୁ ଏକ ଶାଖା କେନାଲ ବାହାର କରାଯାଇ ୭ଟି ପଞ୍ଚାୟତକୁ ଜଳସେଚନ ସୁବିଧା କରାଯିବା, ଲୋୟର ସୁକତେଲ ପ୍ରକଳ୍ପ କାମର ସମୀକ୍ଷା ପ୍ରତିମାସ ,ଲୋୟର ସୁକତେଲ ସଂଗ୍ରାମ ପରିଷଦର କିଛି ବ୍ୟକ୍ତିଙ୍କ ନାମରେ ସରକାର ଆକ୍ରୋଶମୂଳକ ଭାବେ ମକଦ୍ଧମା ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଜିଲାପ୍ରଶାସନ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରାଯାଇଛି ।

ଦୀର୍ଘ ୧୨ ବର୍ଷ ପରେ ବି ପ୍ରଶାସନିକ ଦଳର ଅବହେଲା ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ୨୧୭କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଲମ୍ବ ଯୋଗୁଁ ଏବେ ତାହା ୧୨ଶହ କୋଟି ଟଙ୍କାରେ ପହଂଚିଛି ।

ଗୋପାଳଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀର ଅରୁଣ ମିଶ୍ର, ଶ୍ରୀକର ମିଶ୍ର, ଇଂ.ମଗନଲାଲ ଅଗ୍ରୱାଲ, ଇଂପ୍ରେମରାଜ ସାଏ, ବିକ୍ରମାନନ୍ଦ ବହିାର ପ୍ରମୁଖଙ୍କ ସହ ଲୋୟର ସୁକତେଲ ସେଚ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ବହୁ ଗ୍ରାମବାସୀ ଆଜିର ଅନଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଲିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version