Site icon Odisha.com

ଲୋକେ ଜାଣିସାରିଲେଣି କିଏ ଦୁର୍ନୀତି କରୁଛି: ବିଜେପି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଭାରତୀୟ ଜନତା ଯୁବମୋର୍ଚ୍ଚାର ସମସ୍ତ ଶାଖାକୁ ସମ୍ପ୍ରସାରିତ କରାଯାଉଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ସଂଘର୍ଷ ପାଇଁ ପ୍ରସ୍ତୁତ ଅଛନ୍ତି ।

ଯୁବମୋର୍ଚ୍ଚା ପକ୍ଷରୁ ଖୁବଶୀଘ୍ର ଦେଶବ୍ୟାପି ‘ଗାଦି ଛାଡ଼’ ରାଲି ସହ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଆରମ୍ଭ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଅନୁରାଗ ଠାକୁର ମତବ୍ୟକ୍ତ କରିଛନ୍ତି ।

ଗୋପାଳପୁର ଠାରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷଣ ଶିବିର ଉଯାପନୀ ଦିବସରେ ଯୋଗଦେବାକୁ ଆସିଥିବା ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନାବେଳେ କହିଥିଲେ ଯେ, ବିଜେପି ପକ୍ଷରୁ ଏବେ କଂଗ୍ରେସ ହଟାଅ ଓ ଦେଶବଂଚାଅ କାର୍ଯ୍ୟକ୍ରମ ଜାରି ରହିଛି ।

ଏହାକୁ ଆଗାମୀଦିନରେ ଅଧିକ ଜୋରଦାର କରାଯିବ । କେନ୍ଦ୍ରର ୟୁପିଏ ସରକାର ଓ ଓଡ଼ିଶାର ନବୀନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ‘ଗାଦି ଛାଡ଼’ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଦୁର୍ବଳ ରହିଥିବାବେଳେ ଏହି କାର୍ଯ୍ୟକ୍ରମ କିପରି କରାଯିବ ବୋଲି ପ୍ରଶ୍ନ କରାଯିବାରୁ ଠାକୁର କହିଥିଲେ ଯେ, ସଂସଦଠାରୁ ଆରମ୍ଭ କରି ସାଧାରଣଜନତାଙ୍କ ଠାରେ ବିଜେପି ହିଁଁ ବିଭିନ୍ନ ପ୍ରସଙ୍ଗ ଉତଥାପନ କରି ଆସିଛି ।

ୟୁପିଏ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ବିଜେପି ହିଁ ପଦାକୁ ଆଣିଛି । ଏବେ ଲୋକେ ଜାଣିସାରିଲେଣି କିଏ ବିକାଶ କରୁଛି ଏବଂ କିଏ ଦୁର୍ନୀତି କରୁଛି । ତେଣୁ ବିଜେପି ହିଁ ଦେଶର ଏକମାତ୍ର ବିକଳ୍ପ ବୋଲି ପ୍ରମାଣିତ ହୋଇସାରିଲାଣି ।

ଓଡ଼ିଶାରେ ବିଜେପି ଦୁର୍ବଳ ରହିଥିବାରୁ କୌଣସି କାର୍ଯ୍ୟକ୍ରମ ହୋଇପାରୁନଥିବା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ ଓଡ଼ିଶା ସମେତ ଛତିଶଗଡ ଓ ମହାରାଷ୍ଟ୍ରରେ ଅନୁଷ୍ଠିତ ଯୁବମୋର୍ଚ୍ଚା କାର୍ଯ୍ୟକ୍ରମରେ ସେ ଯୋଗଦେଇ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ରହିଥିବା ଦେଖିଛନ୍ତି ।

ତେଣୁ ଏହି ଯୁବମୋର୍ଚ୍ଚା ହିଁ ଦଳକୁ ଆଗେଇ ନେବ ବୋଲି ସେ କହିଥିଲେ । ଏହି ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଥିଲେ । ଓଡ଼ିଶାରେ ବିଜେପି ପୁଣି ଥରେ ବିଜେଡି ସହିତ ମେଣ୍ଟ କରିବ କି ବୋଲି ପ୍ରଶ୍ନ କରାଯିବାରୁ ଏହା କଦାପି ହେବ ନାହିଁ ବୋଲି ସେ କହିଥିଲେ । ଏପରି ସମସ୍ତେ ଭାବୁଛନ୍ତି ।

ତେବେ ବିଜେପି ୨୦୧୪ରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ ନବୀନ ସରକାର ଆମୁଳଚୁଳ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ ଆଣିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ଭୃଗୁବକ୍ସି ପାତ୍ର, ଯୁବ ମୋର୍ଚ୍ଚା ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ଏଡୱାଡ ସୋରେନ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲା ସଭାପତି ବିଜୟ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version