Site icon Odisha.com

ଭଦ୍ରକ ଜେଲରେ ଦୁରବସ୍ଥା: ଜେଲ ଆଇଜିଙ୍କୁ ନୋଟିସ

ଓଡ଼ିଶା ଡ଼ଟ୍ କମ୍: ସ୍ନିଗ୍ଧା ରାୟ

ଭଦ୍ରକ, ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲା ମାନ୍ୟତା ପାଇବାର ୧୮ ବର୍ଷରୁ ଊର୍ଦ୍ଧ୍ଵ ସମୟ ବିତିଗଲାଣି । ମାତ୍ର ଭଦ୍ରକର ଉପକାରାଗାର ସ୍ୱତନ୍ତ୍ର ଜେଲରୁ ଜିଲା ଜେଲ ସ୍ତରକୁ ଆସିପାରି ନାହିଁ ।

ଏହା ଛଡ଼ା ଭଦ୍ରକ ଜେଲରେ ନାନା ଅବ୍ୟବସ୍ଥା ଲାଗିରହିଛି । ଏହି ପ୍ରସଙ୍ଗ ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟିକୁ ଆସିଛି ।

ସମାଜସେବୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏହି ପ୍ରସଙ୍ଗକୁ ବିଚାର କରିବାକୁ ଜାତୀୟ ମାନବିକ ଅଧିକାର ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।

ଆୟୋଗ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ଓଡ଼ିଶା କାରାଗାର ମହାନିର୍ଦ୍ଦେଶକଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପୁରୁଣା ତଥା ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଥିବା ଭଦ୍ରକ ଜିଲା ସ୍ୱତନ୍ତ୍ର ଉପକାରାଗାରରେ ୧୫୦ ଜଣ କଏଦୀ ରହିବାର ବବସ୍ଥା ରହିଛି ।

ତେବେ ଏଠାରେ ପ୍ରାୟ ୨୭୦ ଜଣ କଏଦୀ ରହୁଛନ୍ତି । ମାତ୍ରାଧିକ କଏଦୀ ରହୁଥିବାରୁ କାରାଗାର ଭିତରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ତଥା ଶୋଇବା ପାଇଁ ସ୍ଥାନର ଅଭାବ ରହିଛି ।

ଭଦ୍ରକ ଏକ ବିଚାର ବିଭାଗୀୟ ଜିଲାର ମାନ୍ୟତା ପାଇସାରିଥିଲେ ମଧ୍ୟ ମାତ୍ର ଏକ ଏକର ଜାଗାରେ ରହିଥିବା କାରାଗାରରେ ଡାକ୍ତରଖାନା, କ୍ଷୁଦ୍ରଶିଳ୍ପ ଚଳାଇବାକୁ ଆବଶ୍ୟକ ଯନ୍ତ୍ରପାତି ଅଭାବ, ସଶ୍ରମ କାରାଦଣ୍ଡ ଭୋଗୁଥିବା ବକ୍ତିଙ୍କ ପାଇଁ ଶ୍ରମାନର ବବସ୍ଥା ନାହିଁ । ଏହାଛଡ଼ା ବିଭିନ୍ନ ଅସୁବିଧା ଓ ମାନବିକ ଅଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ତ୍ରିପାଠୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ।

ଜେଲର ମୁଖ୍ୟ ଉଦ୍ଦେଶ୍ୟ ଭୁଲ କରିଥିବା ଲୋକଙ୍କୁ ନିଜକୁ ସଂଶୋଧିତ କରିବାର ସୁଯୋଗ ଦେଇ ସମାଜର ମୁଖ୍ୟ ସ୍ରୋତରେ କରାଇବା, କଏଦୀମାନଙ୍କୁ ସଠିକ ଖାଦ୍ୟ, ପାନୀୟ ଆଦି ଆବଶ୍ୟକତା ଯୋଗାଇ ଦେବା ତଥା ଗଠନମୂଳକ ତାଲିମ ଦେବେ । ମାତ୍ର ଏହା କରାନଯିବା ଦ୍ୱାରାମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଛି ବୋଲି ସେ ଦର୍ଶାଇଛନ୍ତି ।

ତେଣୁ ଆନୁସଙ୍ଗିକ ବବସ୍ଥା ଉପଲବ୍ଧ କରାଇବା ସହ ମାନବିକ ଅଧିକାରର ସୁରକ୍ଷା ପ୍ରତି ଦୃଷ୍ଟିଦେବା ସହିତ ଭଦ୍ରକ ଜେଲକୁ ଏକ ଜିଲାସ୍ତତରୀୟ ଜେଲରେ ପରିଣତ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ତ୍ରିପାଠୀ ମାନବିକ ଅଧିକାର ଆୟୋଗଙ୍କୁ ଆବେନ କରିଥିଲେ ।

ଆୟୋଗ ତାଙ୍କ ଆବେନକୁ ବିଚାର କରି ଜେଲ ଆଇଜିଙ୍କୁ ନୋଟିସ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version