Site icon Odisha.com

ରେମୁଣା ବିଧାୟକ କେଉଁ ଜାତିର ? ଖାରବେଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-୨୦୦୯ ମସିହା ମେ ୧୫ତାରିଖରେ ହରିଜନ ସୁରକ୍ଷା ମଞ୍ଚର ଅଭିଯୋଗକ୍ରମେ ବାଲେଶ୍ୱରର ତତ୍କାଳୀନ ଜିଲାପାଳ ବିଶାଲ ଦେବଙ୍କ ଜରିଆରେ ନିର୍ବାଚନ କମିଶନରଙ୍କ ଠାରେ ରେମୁଣା ବିଧାୟକଙ୍କ ନାମରେ ଜାଲ ଜାତି ପ୍ରମାଣ ପତ୍ର ସତ୍ୟପାଠର ତଦନ୍ତ ପାଇଁ ଦାବି କରାଯାଇଥିଲା ।

କିନ୍ତୁ ସୁଦର୍ଶନ ଜେନା ବିଧାୟକ ଭାବରେ ନିର୍ବାଚିତ ହେବାରୁ ଏହି ଅଭିଯୋଗର ତଦନ୍ତ ଧିମେଇ ଗଲା ବୋଲି ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ଅଧ୍ୟକ୍ଷ ଐର ଖାରବେଳ ସ୍ୱାଇଁ ଅଭିଯୋଗ ଆଣି ଚହଳ ସୃଷ୍ଟି କରିଛନ୍ତି ।

ସ୍ୱାଇଁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ରେମୁଣା ବିଧାୟକ ସୁଦର୍ଶନ ଜେନାଙ୍କ ପିତା ବସ୍ତା ବ୍ଲକରେ ‘କୁୁମା ଜାତି’ର ହୋଇଥିବା ବେଳେ ବିଧାୟକ ରେମୁଣାରେ କିପରି କଣ୍ଡରା ଜାତିର ହେଲେ ?

ବିଧାୟକଙ୍କ ବସ୍ତାସ୍ଥିତ ପୈତୃକ ବାସଭବନରେ ତାଙ୍କ ଜାତି କୁୁମା ଲେଖା ଯାଇଥିବା ବେଳେ ବିଧାୟକ ତାଙ୍କ ଜାତି ପ୍ରମାଣ ପତ୍ରକୁ ଜାଲ କରି ସ୍କୁଲ,କଲେଜରୁ ଗ୍ରହଣ କରିଆସିଛନ୍ତି ।

୨୦୦୭ମସିହା ଅଗଷ୍ଟ ୨୯ ତାରିଖରେ କୁୁମା ଜାତି ଅନୁସୂଚିତ ଜାତିର ମାନ୍ୟତା ପାଇଲା । କିନ୍ତୁ ଜେନା ଜାଲ ସତ୍ୟପାଠ କରି ନିଜକୁ କଣ୍ଡରା ଦର୍ଶାଇଥିବାରୁ ଏହି ମିଛକୁ ସତ ପ୍ରମାଣିତ କରିବା ପାଇଁ ନିଜକୁ କଣ୍ଡରା ଭାବରେ ସବୁଠାରେ ଉଲ୍ଲେଖ କରୁଛନ୍ତି ।

ଜିଲାପରିଷ ନିର୍ବାଚନରେ ମଧ୍ୟ ସେ ଏପରି ବିଜୟୀ ହୋଇଥିବା ସ୍ୱାଇଁ ଅଭିଯୋଗ କରିଛନ୍ତି । ଆଗାମୀଦିନରେ ମିଥ୍ୟା ସତ୍ୟପାଠ କରି ନିଜର ଜାଲ ଜାତିପ୍ରମାଣ ପତ୍ର ବଳରେ ନିର୍ବାଚନ ଜିତିଥିବା ବିଧାୟକଙ୍କ ପରିଣାମ କଣ ହେବ ଏହାକୁ ନେଇ ଶ୍ରୀ ସ୍ୱାଇଁ ଆଶଙ୍କା ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁଙ୍କ ସମେତ ଉତ୍କଳଭାରତର ଜିଲା ସଭାପତି ମହେନ୍ଦ୍ର ମହାପାତ୍ର,ସାଧାରଣ ସମ୍ପାଦକ ଚିତରଞ୍ଜନ ପଣ୍ଡା ଏବଂ ଆଦିବାସୀ ନେତା ଦାମୋଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version