Site icon Odisha.com

କୋଇଲା ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିରୋଧୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୯(ଓଡ଼ିଶା ଡ଼ଟ୍ କମ୍)-ବହୁଚର୍ଚ୍ଚିତ କୋଇଲା ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ କରି ସିବିଆଇ ତଦନ୍ତ ଲାଗି କଂଗ୍ରେସ ଦାବି କରିଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଜକୁ ଦାୟୀ କରି ପରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କହିଛି ।

କୋଇଲା ପ୍ରସଙ୍ଗରେ ଗତକାଲି ଆସିଥିବା ମୁଲତବୀ ପ୍ରସ୍ତାବ ଆଜି ଆଲୋଚନା କରାଯାଇଥିଲା । କୋଇଲା ପ୍ରସଙ୍ଗରେ ଗତକାଲି ଆଲୋଚନା ହେବାକୁ ଥିଲେ ହେଁ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ ବିରୋଧରେ ଟିପ୍ପଣୀନେଇ ହଟ୍ଟଗୋଳ ହେବାରୁ ଏହା ଆଲୋଚନା ହୋଇ ପାରିନଥିଲା ।

ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂ ବିରୋଧୀଦଳ ପ୍ରସ୍ତାବ ଉପରେ ପ୍ରଥମେ ତାଙ୍କର ଉତର ରଖିଥିଲେ । ଏହାପରେ ଆଲୋଚନା ହୋଇଥିଲା ।

ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭକରି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ କୋଇଲାରେ ନିଆଁ ଲାଗିଛି । ଏହି ନିଆଁର ତାପ ସବୁଆଡେ ଯାଇଛି ।

କେନ୍ଦ୍ର ସରକାର ଯେତେବେଳେ ପ୍ରତିଯୋଗିତାମୂଳକ ବିଡିଂ ମାଧ୍ୟମରେ କୋଇଲା ବ୍ଲକ ଆବଂଟନ କରିବାକୁ ଚାହିଁଥିଲେ ସେତେବେଳେ ଓଡିଶା ସରକାର ଲିଖିତ ଭାବେ ଏହାର ବିରୋଧ କରିଥିଲେ । ସରକାର କୋଇଲା ଦୁର୍ନୀତିରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବିଭିନ୍ନ କଂପାନୀକୁ କୋଇଲା ବ୍ଲକ ଦେବା ନେଇ ସୁପାରିଶ ଉପରେ ମୋହର ଲଗାଇଥିଲେ ।

ହରିଚନ୍ଦନ କହିଲେ ରାଜ୍ୟ ସରକାର କୋଇଲା ବ୍ଲକ ଆବଂଟନ କ୍ଷେତ୍ରରେ ୪୦ରୁ ଉର୍ଦ୍ଧକମ୍ପାନୀ ପାଇଁ ସୁପାରିଶ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଜିନ୍ଦଲ ଷ୍ଟିଲ ନିମନ୍ତେ ଚିଠି ଲେଖିଛନ୍ତି ।

ରାଜ୍ୟ ସରକାର ସୁପାରିଶ କରିଥିବା କଂପାନୀ ମାନଙ୍କ ମଧ୍ୟରେ ଅଛନ୍ତି ଭୂଷଣ, ରୁଂଗଟା ମାଇନ୍ସ, ମନେଟ ଇସ୍ପାତ, ଜିନ୍ଦଲ ଷ୍ଟିଲ, ଟାଟା ପାୱାର ଓଷ୍ଟ୍ରାଟେଜିକ୍ ପାୱାର ଭଳି ଅନେକ କମ୍ପାନୀ । ଏଣୁ ରାଜ୍ୟ ସରକାର ନିଜଆଡୁ ନିଜର ସଂପୃକ୍ତି ନେଇ ସିବିଆଇ ତଦନ୍ତ ଘୋଷଣା କରନ୍ତୁ ।

ସିଏଜି ରିପୋଟ ଆସିବା ପୂର୍ବରୁ କୋଇଲା ଦୁର୍ନୀତିର ତଦନ୍ତଭାର କେନ୍ଦ୍ର ସରକାର ସିବିଆଇକୁ ଦେଇଛନ୍ତି । ତେଣୁ ରାଜ୍ୟ ସରକାର ନିଜର ସ୍ୱଚ୍ଛତା ପ୍ରମାଣ ଲାଗି ଓଡିଶାର ସଂପୃକ୍ତି ନେଇ ସିବିଆଇ ତଦନ୍ତ କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ।

ଶ୍ରୀ ହରିଚନ୍ଦନ ପ୍ରାୟ ଏକ ଘଂଟା କହିସାରିବା ପରେ କଂଗ୍ରେସ ବିଧାୟକ ଅନୁପ ସାଏ ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯିବାକୁ ଦାବି କରିଥିଲେ । ୧୪ ଜଣ ବିଧାୟକ ଏହି ଦାବି ସପକ୍ଷରେ ଛିଡା ହୋଇ ସମର୍ଥନ ଜଣାଇବାରୁ ବାଚସ୍ପତି ଏହା ଉପରେ ଦୁଇ ଘଣ୍ଟିଆ ଆଲୋଚନା ପାଇଁ ଅନୁମତି ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version