Site icon Odisha.com

ମାଧବୀଙ୍କ ଓଡ଼ିଶୀ, ହରିହରନଙ୍କ ଗଜଲରେ ଦର୍ଶକ ମତୁଆଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ୧୮ତମ ଗୁରୁକେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏକ ମନୋଜ୍ଞ ଓ ଭାବୋଦ୍ଧୀପକ ପରିବେଶ ଭିତରେ ବୁଧବାର ସଂଧ୍ୟାରେ ରାଜ୍ୟପାଳଙ୍କ ଦ୍ୱାରା ଉଘାଟିତ ହୋଇଥିଲା ।

ଭାରତବର୍ଷର ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କଳାକାରମାନଙ୍କ ଦ୍ୱାରା ପରିବେଷିତ ହେବାକୁ ଥିବା ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଏହି ଉତ୍ସବକୁ ଅତି ଆକର୍ଷଣୀୟ କରିଥିଲା ।

ଉଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ଓ କୋରିଓଗ୍ରାଫର ମାଧବୀ ମୁଗଲ । ସେ ପ୍ରଥମେ ପରିବେଷଣ କରିଥିଲେ ଜଗନ୍ନାଥଷ୍ଟକମ ଏବଂ ପରେ ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଏ ଘନ କାଳରେ ଗୀତରେ ଅଭିନୟ ଏବଂ ଶୁଦ୍ଧ ନୃତ୍ୟ ପର୍ଯ୍ୟାୟରେ ଖେମଟା ତାଳରେ ପର୍ଯ୍ୟବେଶିତ ଝିଂଝୋଟି ଏବଂ ଶେଷରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦରୁ ତିନୋଟି ଅଷ୍ଟପଦିରେ ତାଙ୍କର କାର୍ଯ୍ୟକ୍ରମ ଶେଷ କରିଥିଲେ ।

ମିଳନ ବିରହର ଏକ ଭାବାବେଗପୂର୍ଣ୍ଣ ମୁହୂତର୍ତ୍ତକୁ ନେଇ ମାଧବୀଙ୍କ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ତାଙ୍କୁ ମର୍ଦ୍ଦଳରେ ସହଯୋଗ କରିଥିଲେ ଗାନ୍ଧୀ ମଲ୍ଲିକ, ସୀତାରରେ ୟାର ମହମ୍ମଦ, ବଂଶୀରେ ଶ୍ରୀନିବାସ ଶତପଥୀ, ମଞ୍ଜିରାରେ ଆରୁସି ମୁଗଲ ଏବଂ ଗୀତରେ ପୁର୍ଣ୍ଣଚନ୍ଦ୍ର ମାଝୀ ଓ ମଣିକୁନ୍ତଳା ଭୌମିକ ।

ସଂଧ୍ୟାରଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ଗଜଲ ଗାୟକ ହରିହରନ ସେ ତାଙ୍କର ଚମତ୍କାର ସ୍ୱରରେ ଅଭିନୟ ଆତିଥି କଭି ଐସା, କାସ ଐସା କୋଇ ମଂଜର ହୋତା, ରଂଜିଶି ସାହି ଭଳି ଲୋକପ୍ରିୟ ଗଜଲଗୁଡ଼ିକୁ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।

ତାଙ୍କୁ ହାରମୋନିୟମରେ ସହାୟତା କରିଥିଲେ ପ୍ରଦିପ ପଣ୍ଡିତ, ତବଲାରେ ସବା ଭାରତୀୟ ଏବଂ କିବୋଡ଼ରେ ଜୋହେବ ହୁସେନ । ପ୍ରେକ୍ଷାଳୟରେ ଭରପୁର ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ହରିହରନଙ୍କର ସଙ୍ଗୀତ ପରିବେଷଣକୁ ଉପଭୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ୍ରକାନ୍ତେ ଭଣ୍ଡାରେ, ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡ଼ା ଦାମୋଦର ରାଉତ, ପ୍ରମୁଖ ଶାସନ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ଅଶୋକ କୁମାର ତ୍ରିପାଠୀ; ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ କୁମାର ଦାସ; ପର୍ଯ୍ୟଟନ ନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟ, ଗୁରୁ ଶରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାଧନା ଶ୍ରୀବାସ୍ତବ ।

Exit mobile version