Site icon Odisha.com

ବିଧାନସଭା ଅଧିବେଶନ: ଅଚଳାବସ୍ଥାରେ ଆରମ୍ଭ ଅଚଳାବସ୍ଥାରେ ଶେଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)-ଅଚଳାବସ୍ଥାରେ ଆରମ୍ଭ ହୋଇଥିବା ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଅଚଳାବସ୍ଥାରେ ହିଁ ଆଜି ଶେଷହୋଇଛି ।

ଗତ ୨୮ତାରିଖରୁ ବିଧାନ ସଭାର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହୋଇଥିଲା । ଅଧିବେଶନରେ ମୋଟ ୨୦ଟି ବିଲ୍ ଆଲୋଚନା କରି ଗୃହୀତ କରାଇବା ନେଇ ପ୍ରସ୍ତାବ ଥିଲେ ହେଁ ୫ଟି ବିଲ୍ ଗୃହୀତ ହୋଇ ପାରିଥିଲା । ସମୟ ଅଭାବ ଯୋଗୁଁ ଅନ୍ୟ ବିଲ୍ ଗୁଡିକ ବିଧାନ ସଭାକୁ ଆସି ପାରିନଥିଲା ।

ମୋଟ ୧୦ଦିନ ପାଇଁ ବସିଥିବା ଏହି ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଲୋକସେବା ଅଧିକାର ବିଲ୍, ପୌରସଂସ୍ଥାରେ ମହିଳାଙ୍କୁ ଶତକଡା ୫୦ ଭାଗ ସଂରକ୍ଷଣ, ଜାତିଗତ ପ୍ରମାଣପତ୍ର ନିୟନ୍ତ୍ରଣ ଓ ପ୍ରାନ ଏବଂ ସ୍ୱତନ୍ତ୍ର ସର୍ବେକ୍ଷଣ ତଥା ବନ୍ଦୋବସ୍ତ ବିଲ୍ ଗୃହୀତ ହୋଇଥିଲା ।

ପ୍ରଥମଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ ପ୍ରତି ବେଜେଡି ବିଧାୟକଙ୍କ ଟିପ୍ପଣୀକୁନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଏହାର ପ୍ରବଳ ବିରୋଧ କରିଥିଲେ । ଏହାପରେ ଗୃହକାର୍ଯ୍ୟ ଚାଲିପାରିନଥିଲା । ତେବେ ପରବର୍ତ୍ତି ଦିନଗୁଡିକରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଗତକାଲି କଂଗ୍ରେସ ସମାବେଶକୁ ନେଇ ଆଜି ଗୃହରେ ଅଚଳାବସ୍ଥା ଦେଖାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version