Site icon Odisha.com

ହାତୀ ଛୁଆରହିବ କପିଳାସ ପ୍ରାଣୀ ଉଦ୍ୟାନରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-କେନ୍ଦୁଝର ବନ୍ୟପ୍ରାଣୀ ବିଭାଗ ତତ୍ଵାବଧାନରେ ଚିକିତ୍ସିତ ହେଉଥିବା ହାତୀ ଛୁଆକୁ ୧୫ଦିନ ମଧ୍ୟରେ କପିଳାସ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବା ବ୍ୟବସ୍ଥା ହୋଇଥିବାର କେନ୍ଦୁଝର ଡିଏଫ୍ଓ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି ।

ନନ୍ଦନକାନନରେ ପୂର୍ବରୁ ୬ ଟି ହାତୀ ଥିବାରୁ ସ୍ଥାନ ଅଭାବରୁ ସମ୍ପୃକ୍ତ ହାତୀ ଛୁଆକୁ କପିଳାସ ବନ୍ୟପ୍ରାଣୀ ସୁରକ୍ଷା କେନ୍ଦ୍ରରେ ରଖାଯିବା ନିମନ୍ତେ ନିଷ୍ପତି ହୋଇଛି ।

ସୂଚନାଯୋଗ୍ୟ ଅଗଷ୍ଟ୧୫ ମଧ୍ୟରାତ୍ରରେ ଦକ୍ଷିଣ-ପୂର୍ବ ରେଳପଥର ମାଲ ବୋଝେଇ ରେଳ ଧକ୍କାରେ ଆହତ ହୋଇଥିବା ହାତୀ ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନନ୍ଦନକାନନ ଚିକିତ୍ସକ ଦଳ ଗୁରୁତୁଆଁ ଗ୍ରାମରେ ପହଞ୍ଚିଛନ୍ତି ।

ସମ୍ପୃକ୍ତ ହାତୀ ଛୁଆଟି ଟ୍ରେନ୍ ଧକ୍କା ରେ ୪୦ ଫୁଟ ଗଭୀର ଘାଇ ମଧ୍ୟକୁ ଖସି ପଡିଥିଲା । ତେବେ ଗୁରୁତୁଆଁ ଗ୍ରାମ ନିକଟରେ ଏଭଳି ଅଭାବନୀୟ ଘଟଣା ସଂଗଠିତ ହୋଇଥିବାରୁ ବନ୍ୟ ପ୍ରାଣୀ ବିଭାଗ ଏହି ତିନି ବର୍ଷିଆ ଅଣ୍ଡିରା ହାତୀ ଛୁଆର ନାମକରଣ “ଗୁରୁ” କରିଥିବାର ଜଣାପଡିଛି ।

ହାତୀ ଛୁଆଟି ସ୍ୱାଭାବିକ ଢଙ୍ଗରେ ଖିଆପିଆ କରୁଥିଲେ ମଧ୍ୟ ତାର ବାମ ପଟ କାନ୍ଧ ସନ୍ଧି ହାଡ ଭାଙ୍ଗିଥିବା କାରଣରୁ ଅସ୍ଥାୟୀ ଭାବେ ଅକ୍ଷମ ହୋଇ ପଡିଛି । ତେବେ ଏହି ଜଖମ ଓ ଖଣ୍ଡିଆଖାବରା ୧୫ଦିନ ମଧ୍ୟରେ ସ୍ୱାଭାବିକ ହେବ ବୋଲି ଚିକିତ୍ସା ବିଶେଷଜ୍ଞ ଦଳ ଆଶା ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version