Site icon Odisha.com

ବନ୍ଦ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ୪୦୦୦ ରୁ ଅଧିକ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଗୁରୁବାର ରାଲିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରି କଂଗ୍ରେସ ଦ୍ୱାରା ଦିଆଯାଇଥିବା ୧୨ ଘଂଟିଆ ବନ୍ଦ ଯୋଗୁଁ ରାଜ୍ୟରେ ସୋମବାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ପୋଲିସ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ଵ କଂଗ୍ରେସ କର୍ମୀ ଓ ନେତାଙ୍କୁ ଗିରଫ କରିଛି ।

ଭୁବନେଶ୍ୱରରେ ଗୋଟିଏ ବସକୁ ବିିକ୍ଷୋଭକାରୀ ମାନେ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନ ମାନଂକରେ କୌଣସି ହିଂସାକାଣ୍ଡ ଘଟିନଥିବା ରାଜ୍ୟର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ଯେଉଁ ବିଶିଷ୍ଟ ବ୍ୟକ୍ତିିମାନେ ପ୍ରଦର୍ଶନ ସମୟରେ ପୋଲିସ ଦ୍ୱାରାଗିରଫ ହୋଇଛନ୍ତି ସେମାନେ ହେଲେ ରାଜ୍ୟ କଂଗ୍ରେସ ମୁଖ୍ୟ ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ଭୁପିନ୍ଦର ସିଂ ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।

ରାଜ୍ୟର ବିଭିନ୍ନ ସହରରେ ବସ ଏବଂ ଚାରିଚକିଆ ଯାନ ଚଳାଚଳ ପ୍ରାୟତଃ ବନ୍ଦ ଥିବାବେଳେ ଷ୍ଟେସନ ମାନଙ୍କରେ ଟ୍ରେନ ଗୁଡିକ ଅଟକିରହିଥିବାରୁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

କଂଗ୍ରେସ କର୍ମୀ ମାନେ ସରକାର ବିରୋଧି ସ୍ଲୋଗାନ ମାନ ଦେଇ ରେଳ ଲାଇନ ମାନଙ୍କରେ ବସି ରହିଥିବା ଦେଖାଯାଇଥିଲା ।

ଠିକ୍ ସେହିପରି ବହୁସ୍ଥାନରେ ପ୍ରଦର୍ଶନ କାରୀମାନେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିବାବେଳେ ରାଲିମାନ ଆୟୋଜନ କରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଂକ କୁଶ ପୁତ୍ତଳିକା ଦାହ କରୁଥିବା ଦେଖାଯାଉଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର, ହୋଟେଲ, ବ୍ୟାଂକ, ସ୍କୁଲ, କଲେଜଓ ଅଫିସ୍ ବନ୍ଦ ରହିଥିଲା । ସଚିବାଳୟକୁ କେତେକ ମନ୍ତ୍ରୀ ମଟର୍ ସାଇକେଲରେ ଆସିଥିଲେ ।

ବନ୍ଦକୁ ଜନସାଧାରଣ ସ୍ୱତଃପ୍ରବୃତ ଭାବେ ସଫଳ କରିଥିବାରୁ ଆମେ କୃତଞତା ଜଣାଉଛୁ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ନିରଂଜନ ପଟ୍ଟନାୟକ ସାମ୍ବାଦିକ ମାନଂକୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଠାରେ ଗୁରୁବାର କଂଗ୍ରେସ ଆୟୋଜନ କରିଥିବା ରାଲିରେ ହୋଇଥିବା ହିଂସାକାଣ୍ଡରେ ଶତାଧିକ ପୋଲିସ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ । କଂଗ୍ରେସ ଏଥିପାଇଁ ପୋଲିସକୁ ଦାୟୀ କରିଥିବାବେଳେ ପୋଲିସ ଏଥିପାଇଁ କଂଗ୍ରେସ କର୍ମୀଙ୍କୁ ଦାୟୀ କରିଛି । ପୋଲିସ ଏହି ହିଂସାକାଣ୍ଡରେ ପ୍ରାୟ ୩୮ ଜଣଂକୁ ଗିରଫ କରିସାରିଛି ।

ଓଡିଶା ଡଟ୍ କମ୍

Exit mobile version