Site icon Odisha.com

କେନ୍ଦୁଝର: ଅନଶନରତ ଟ୍ରକ ମାଲିକଙ୍କ ମୃତ୍ୟୁ, ଲଙ୍କାକାଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

କେନ୍ଦୁଝର, ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଟ୍ରକ ଯୋଗେ ଲୁହାପଥର ପରିବହନକୁ ଦାବି କରି ଆମରଣ ଅନଶନରେ ବସିଥିବା ପ୍ରେମ ରଞ୍ଜନ ବେହେରା ନାମକ ଜଣେ ଟ୍ରକ ମାଲିକଙ୍କ ମୃତ୍ୟୁକୁ ନେଇ କେନ୍ଦୁଝରରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।

ବୁଧବାର ଏହି ଅଭାବନୀୟ ଘଟଣା ପ୍ରଘଟ ହେବାପରେ ଶହଶହ ଟ୍ରକ ମାଲିକ ଉତ୍ତେଜିତ ହୋଇ ଗଣ୍ଡଗୋଳ ଓ ଗାଡି ଭଙ୍ଗାରୁଜା କରିଛନ୍ତି ।

ଉତ୍ୟକ୍ତ ଟ୍ରକ ମାଲିକମାନେ ଜିଲ୍ଲାପାଳଙ୍କ ଗାଡି ଭାଙ୍ଗି ଦେଇଥିଲେ । ଏ ଘଟଣାରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିଲେ । ପରିସ୍ଥିତି ଅଣାୟତ ହେବାରୁ ମାଓଦମନ ପାଇଁ ଆସିଥିବା ସିଆରପିଏଫ୍ ଜବାନମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟତ ହେବାରୁ ଟ୍ରକ ମାଲିକଙ୍କ ସମେତ ସାଧାରଣ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ ।

ଫଳରେ ଜବାନମାନେ କ୍ଷମାମାଗି ଫେରି ଯାଇଥିଲେ । ଗତ ୮ ଦିନଧରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘସିପୁରା ଅଞ୍ଚଳର ଗାଡିମାଲିକ ପ୍ରେମରଞ୍ଜନ ବେହେରା ଅନଶନରେ ବସିଥିଲେ ।

ମଙ୍ଗଳବାର ତାଙ୍କ ହେ ଖରାପ ହେବାରୁ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ମାତ୍ର କଟକ ଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ଦୀର୍ଘ ୯ ଦିନହେଲା ଶହଶହ ଟ୍ରକମାଲିକ ଆନ୍ଦୋଳନରେ ସାମିଲ ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କୌଣସି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ମାଲିକମାନଙ୍କ ମଧ୍ୟରେ କ୍ଷୋଭ, ଦୁଃଖ ଓ ଉତେଜନା ପ୍ରକାଶ ପାଇଛି ।

ଏ ଘଟଣା ନେଇ ବଡବିଲ ଟ୍ରକ ମାଲିକ ସଂଘ ଆସନ୍ତା କାଲି ୧୨ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି । ଏ ଘଟଣା ନେଇ ବ୍ୟାବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version