Site icon Odisha.com

ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ୬ ମୃତ, ୨୭୧ ଆକ୍ରାନ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଜୁଲାଇ ମାସ ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ ୨୭୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ସମୀକ୍ଷା କରି କହିଛନ୍ତି ଯେ ଅଗଷ୍ଟ ମାସରେ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ସେଥିରୁ ଚନ୍ଦାହାଣ୍ଡି ବ୍ଲକରେ ୨ ଜଣ , ଝରିଗାଁ ବ୍ଲକରେ ୩ ଜଣ ଏବଂ ଉମରକୋଟ ବ୍ଲକରେ ଜଣଙ୍କର ମୃତ୍ୟୁ ହୋଇଥିବା ସମୀକ୍ଷାରୁ ପ୍ରକାଶ । ଏହି ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, କୋସମଗୁମୁଡା ଏବଂ ଝରିଗାଁ ବ୍ଲକ୍ ରେ ୭୧ ଟି ଗ୍ରାମରେ ଲୋକମାନେ ପ୍ରଭାବିତ ହେଉଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କାଁ ଭାଁ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ।

ଏହି ଜିଲ୍ଲାର କୌଣସି ସ୍ଥାନରେ କଲେରା ବା ହଇଜା ମହାମାରୀ ରୂପ ନେଇନାହିଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକ ଡାକ୍ତରୀଳ ସହିତ ସଂପୃକ୍ତ ଅଞ୍ଚଳ ଗସ୍ତକରୁଛନ୍ତି ଏବଂ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରୁ ଡାକ୍ତରୀ ଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ।

ଆକ୍ରାନ୍ତଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ , ଓ.ଆର୍.ଏସ୍ , ହାଲୋଜେନ ବଟିକା ଏବଂ ସାଲାଇନ ଆଦି ମହଜୁଦ ରହିଛି ।

ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖା ଯାଇଛି । ରାତ୍ରୀ କାଳୀନ ତଦାରଖ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାରେ ଖାଲିଥିବା ଡାକ୍ତର ପଦବି ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଚନ୍ଦାହାଣ୍ଡି ବ୍ଲକର ଫଟାମୁଣ୍ଡା , ଗୋଧିପାଣି ଏବଂ ସିମେଳିପାଣି ଓ ଝରିଗାଁ ବ୍ଲକର କୁନିନାଳ ଗ୍ରାମରେ ପାଣି ଓ କେତେକ ଆକ୍ରାନ୍ତଙ୍କ ମଳ ନମୂନାରେ ଭିବ୍ରୋ କଲେରା ଜୀବାଣୁ ଥିବା ପରୀକ୍ଷାରୁ ଜଣା ପଡିବା ପରେ ପ୍ରତିଶେଧକ ଓ ତାରଖ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ନିତ କରାଯିବା ସହିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ନିମନ୍ତେ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ଜିଲ୍ଲା ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି ଆବଶ୍ୟକତା ଅନୁଯାୟି ପଦକ୍ଷେପ ନିଆଯାଇଛି । ଏ ପର୍ଯ୍ୟନ୍ତ କଲେରା ବା ହଇଜା କୌଣସି ସ୍ଥାନରେ ମହାମାରୀ ରୂପ ନେଇ ନାହିଁ କିମ୍ବା ହଇଜାରେ ଆକ୍ରାନ୍ତ ହୋଇ କେହି ମୃତ୍ୟୁ ବରଣ କରିନାହାଁନ୍ତି ।

ତେବେ ଚଳିତ ବର୍ଷ ଜାନୁୟାରୀ ମାସରୁ ଏ ପର୍ଯ୍ୟନ୍ତ ଝରିଗାଁ , କୋସମଗୁଡା ଏବଂ ଚନ୍ଦାହାଣ୍ଡି ବ୍ଲକରେ ମୋଟ ୬୧ ଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ କଲେରା ବା ଡାଏରିଆ ଯୋଗୁ ହୋଇଥିବା ଯାହା ଅଭିଯୋଗ ହେଉଛି ତାହା ଆଦୌ ସତ୍ୟ ନୁହେଁ ।

କାରଣ ସେମାନେ ବାର୍ଦ୍ଧକ୍ୟ ଜନିତ , ରେନାଲ ଫେଲିୟୋର , ହୃ୍ଦଘାତ , ରକ୍ତବାନ୍ତି ଆଦି ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ନିୟନ୍ତ୍ରଣ କକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇ ପ୍ରତିଶେଧକ ଏବଂ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ନିତ କରାଯାଉଛି ।

ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହେବା ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ସମସ୍ତ ପ୍ରକାର ପଦକ୍ଷେପକୁ ବଜାୟ ରଖିବା ସହିତ ତଦାରଖ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ରାଉତ ନିର୍ଦେଶ ଦେଇଛନ୍ତି ।

ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ତ୍ରିବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପାଧିକାରୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version