Site icon Odisha.com

ସୁଦର୍ଶନଙ୍କ ବିୟୋଗରେ ରାଜ୍ୟରେ ଶୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ମୁଖ୍ୟ ତଥା ପଞ୍ଚମ ସର-ସଂଘଚାଳକ ଶ୍ରୀ କୁପହଲ୍ଲୀ ସୀତାରାମେୟା ସୁଦର୍ଶନଜୀଙ୍କ ବିୟୋଗରେ ଆରଏସ୍ଏସ୍ ଓଡିଶା ଶାଖା ତରଫରୁ ଏକ ରାଜ୍ୟସ୍ତରୀୟ ଶୋକସଭା ଆଜି ଅନୁଷ୍ଠିତ ହୋଇ ଯାଇଛି ।

ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ଏହି ଶୋକସଭାରେ ପାଞ୍ଚ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇ ସୁଦର୍ଶନଜୀଙ୍କ ସ୍ମୃତି ଚରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନାକରି ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ଗତ କାଲି ସୁଦର୍ଶନଙ୍କର ନାଗପୁରର ଗଙ୍ଗାବାଇ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଭାଗନେବାପାଇଁ ଓଡିଶାରୁ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ହରିହର ନନ୍ଦଙ୍କ ନେତୃତ୍ୱରେ ଓଡିଶା ପ୍ରାନ୍ତକାର୍ଯ୍ୟକାରିଣୀ ସଦସ୍ୟ ଦିପକ କୁମାର ରାଉତ, ରଂଜନ ପଟେଲଙ୍କ ସମେତ ତିରିଶରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ନାଗରପୁର ଯାଇ ସୁଦର୍ଶନଙ୍କ ଶେଷଦର୍ଶନ କରିଥିଲେ ବୋଲି ସଂଘର ମିଡିଆସେଲ କାର୍ଯ୍ୟାଳୟ ସଂପାଦକ ଗୋଲଖ ଚନ୍ଦ୍ର ଦାସ ଜଣାଇଛନ୍ତି ।

ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶୋକସଭାରେ ଆରଏସ୍ଏସ୍, ବିଶ୍ୱହିନ୍ଦୁ ପରିଷଦ, ଏବିଭିପି, ବିଜେପି, ସଂସ୍କାର ଭାରତୀ, ସରସ୍ୱତୀ ଶିଶୁ ମନ୍ଦିର, ଶିକ୍ଷାବିକାଶ ସମିତି, ବନବାସୀ କଲ୍ୟାଣ ଆଶ୍ରମ, ଏନ୍ଏମ୍ ଓ, ସେବୀକା ସମିତ,ବିଶ୍ୱ ସମ୍ବାଦ କେନ୍ଦ୍ର ଆଦି ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

ସର୍ବଶ୍ରୀ ସୁନୀଲ ପଗୋସ୍ୱାମୀ, ଜୁଏଲ ଓରାମ, ସମୀର ମହାନ୍ତି, ବୈକୁଣ୍ଠନାଥ ସାହୁ, ବିପିନ ବିହାରୀ ନନ୍ଦ, ଅଶୋକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରଘୁନାଥ ପତି, ଗୋବିନ୍ଦ ମହାନ୍ତ, ସଂଜିତ ପଣ୍ଡା, ରେବତୀ ଦାସ, ପ୍ରକାଶ ବେତାଲା, ମନସୁଖଲାଲା ସେଠିଆ ପ୍ରମୁଖ ଯୋଗେଇ ତାଙ୍କର ବିୟୋଗରେ ଦେଶ ଜଣେ ଜଣେ ଦୃଢ ସଂଗଠକ, ସମାଜସେବୀ ଓ ମହାନ ଚିନ୍ତାନାୟକଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ ।

ସ୍ମୃତି ଚାରଣକରି ବକ୍ତାମାନେ କହିଲେ ସୁଦର୍ଶନ ସଂଘରେ ରହି ଦୀର୍ଘ ୫୮ ବର୍ଷ ଭାରତରେ ତାଙ୍କର ସଂସ୍କାରଧର୍ମୀ କାର୍ଯ୍ୟ ଚାଲୁ ରଖିଥିଲେ । ସେ କ୍ଷେତ୍ର ପ୍ରଚାରକ, ଅଖିଳ ଭାରତୀୟ ଶାରୀରିକ ପ୍ରମୁଖ, ଅଖିଳ ଭାରତୀୟ ବୈାଦ୍ଧିକ ପ୍ରମୁଖ, ସହସର କାର୍ଯ୍ୟବାହ ଓ ସରସଂଘ ଚାଳକ ଦାୟିତ୍ୱ ଗ୍ରହଣ କରି ସୁଚାରୁ ରୂପେ ତୁଲାଇଥିଲେ ।

ସରସଂଘଚାଳକ ଦାୟିତ୍ୱରୁ ଅବ୍ୟାହତ ନେଲାପରେ ମଧ୍ୟ ସେ ସଂଘ କାର୍ଯ୍ୟ କରୁଥୁଲେ । ଗତ ଗୋମଙ୍ଗଳ ଯାତ୍ରାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ସେ ଆସାମ ଆନ୍ଦୋଳନକୁ ଦୃଢ ସମର୍ଥନ କରିଥିଲେ । ଆସାମ ଓ ଉତର ପୂର୍ବ ରାଜ୍ୟମାନଙ୍କରେ ଚାଲିଥିବା ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପର କାରଣ ସମ୍ବନ୍ଧରେ ଗଭୀର ଅଧ୍ୟୟନ କରିଥିଲେ ।

ସେ ସରସଂଘ ଚାଳକ ଥିବା ସମୟରେ ଦେଶ ସମ୍ବନ୍ଧରେ ଅନେକ ଅପ୍ରୀୟସତ୍ୟକଥା ଲୋକଙ୍କ ସମ୍ମୁଖରେ ନିର୍ବିକାର ଭାବେ ଉପସ୍ଥାପିତ କରୁଥିଲେ, ଯେଉଁଥିପାଇଁକି ସେ ଗଣମାଧ୍ୟମରେ ଏକ ଚର୍ଚ୍ଚାର ବିନ୍ଦୁ ହୋଇଥିଲେ । ତାଙ୍କର ବିୟୋଗରେ ଦେଶ ଜଣେ ମହାନ ଚିନ୍ତାନାୟକଙ୍କୁ ହରାଇଲା ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟ ବୃଦ୍ଧିରେ ତାଙ୍କର ଅବଦାନକୁ ଏହି ସଂସ୍ଥାର କର୍ମୀମାନେ ସବୁଦିନ ପାଇଁ ମନେ ରଖିବେ । ସେ ଅଖିଳ ଭାରତୀୟ ଶାରୀରିକ ପ୍ରମୁଖ ଓ ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଥିବା ବେଳେ ଏହି ଦୁଇ ବିଭାଗରେ ଅନେକ ନୂତନତାର ପ୍ରୟୋଗ କରିଥିଲେ ।

ସହସରକାର୍ଯ୍ୟବାହ ଥିଲାବେଳେ ଅନେକ ଜଟିଳ ସାଂଗଠନିକ ସମସ୍ୟାର ସହଜ ସମାଧାନ କରିଥିଲେ । ଗଣମାଧ୍ୟମରେ କାର୍ଯ୍ୟରତ ବନ୍ଧୁମାନେ ତାଙ୍କର ଚମକପଦ ବକ୍ତବ୍ୟପାଇଁ ତାଙ୍କୁ କେବେବି ଭୁଲି ପାରିବେ ନାହିଁ । ତାଙ୍କର ବିୟୋଗରେ ଭାରତୀୟ ସାମାଜିକ ଆକାଶରୁ ଏକ ମହାନ ଜ୍ୟୋତିଷ୍କ ଅପସରିଗଲା ବୋଲି ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version