Site icon Odisha.com

ସୁଦର୍ଶନଜୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶାରେ ସାମୁହିକ ତିଳ ତର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) – ସ୍ଥାନୀୟ ବିନ୍ଦୁ ସାଗରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପଞ୍ଚମ ସରସଙ୍ଘଚାଳକ କୂପହଲ୍ଲୀ ସୀତାରାମାୟା ସୁଦର୍ଶନଜୀଙ୍କ ଉଦେ୍ଧଶ୍ୟରେ ବୁଧବାର ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୁଦର୍ଶନଜୀଙ୍କ ଦ୍ୱାଦଶକର୍ମ ଉପଲକ୍ଷେ ଏହିକାର୍ଯ୍ୟକ୍ରମରେ ପାଞ୍ଚ ଶହ ପଞ୍ଚାବନ ଜଣ ସ୍ୱୟଂସେବକ ସାମୂହିକ ଭାବେ ତିଳତର୍ପଣ କରିଥିଲେ । ସଙ୍ଘର ମହାନଗର ସଂଘଚାଳକ ବୈକୁଣ୍ଠଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ବୋଲି ସଂଘର ରାଜ୍ୟ ମିଡିଆସେଲ ସଂପାଦକ ଶ୍ରୀ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ସର-ସଂଘଚାଳକ ଶ୍ରୀ କୁପହଲ୍ଲୀ ସୀତାରାମେୟା ସୁଦର୍ଶନଜୀ ୨୦୧୨ ସେପ୍ଟେମ୍ବର ୧୫ ତାରିଖ ସକାଳ ୬ଟା ୫୦ମିନିଟରେ ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କ ପରଲୋକ ଘଟିଥିଲା । ସେ ସକାଳେ ପ୍ରାତଃଭ୍ରମଣରେ ଫେରି କାର୍ଯ୍ୟାଳୟରେ ଥିବା ତାଙ୍କ କୋଠରୀରେ ପ୍ରାଣାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ।

ସୁଦର୍ଶନଙ୍କ ମରଶରୀରକୁ ନାଗପୁରକୁ ଅଣାଯାଇଥିଲା । ନାଗପୁରରେ ଡା.ହେଡଗୱାର ସ୍ମୃତି ମନ୍ଦିର ପରିସରରେ ସୁଦର୍ଶନଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଥିଲା ।

ସମାଜର ବରିଷ୍ଠ ନାଗରିକ,ସଂଘର କାର୍ଯ୍ୟକର୍ତ୍ତା ଓ ସ୍ୱୟଂସେବକମାନେ ନାଗପୁରରେ ପହଞ୍ଚି ସୁଦର୍ଶନଙ୍କ ଶେଷଦର୍ଶନ କରିଥିଲେ । କୁପ୍ପାହାଲ୍ଲି ଗାଁର ବାସିନ୍ଦା ସୁଦର୍ଶନ ଶାରୀରିକ ଓ ବୌଦ୍ଧିକ ଲାଗି ସଂଘର ସ୍ୱୟଂସେବକଙ୍କ ମଧ୍ୟରେ ବେଶ ପରିଚିତ ।

୧୬ ସେପ୍ଟେମ୍ବରରେ ନାଗପୁରର ଗଙ୍ଗାବାଇ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା । ସନ୍ଧ୍ୟା ସମୟରେ ସୁଦର୍ଶନଙ୍କ ଭାଇ କଶ୍ମୀର ରମେଶ ମୁଖାଗ୍ନି ଦେଇଥିଲେ । ୨୫ ସେପ୍ଟେମ୍ବରର ସକାଳେ ତାଙ୍କର ଅସ୍ତିକୁ ହରିଦ୍ୱାରରେ ବିସର୍ଜନ କରାଯାଇଛି ।

ସୁଦର୍ଶନଜୀଙ୍କ ଆତ୍ମାର ସଦଗତି କାମନା କରି ଓଡିଶାରେ ସଂଘଶାଖା ଚାଲୁଥିବା ଗ୍ରାମ,ପଞ୍ଚାୟତ,ତହସିଲ ଓ ଜିଲ୍ଲାସ୍ତରରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭା,ସ୍ମୃତିସଭା,ଓ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version