Site icon Odisha.com

ଜାତୀୟ କ୍ରିକେଟ ଏକାଡେମୀ ଅଧ୍ୟକ୍ଷ ହେଲେ ରଞ୍ଜୀବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ମୁମ୍ବଇଠାରେ ଗୁରୁବାର ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆସନ୍ତା ୩ ବର୍ଷ ପାଇଁ ଜାତୀୟ ସିନିୟର ମନୋନୟନ କମିଟି ଗଠନ କରାଯାଇଛି ।

ଏଥିରେ ଏମ.ପି. ପାଣ୍ଡବଙ୍କ ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ତଥା ପୂର୍ବତନ ଭାରତୀୟ ଜୁନିୟର କ୍ରିକେଟ ଦଳର ଅଧିନାୟକ ରଞ୍ଜୀବ ବିଶ୍ୱାଳଙ୍କୁ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିସିସିଆଇ ଟେକନିକାଲ କମିଟିର ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେଙ୍କୁ ସ୍ଥାନ ମିଳିଛି ।

ସେହିପରି ପୂର୍ବାଞ୍ଚଳ ପକ୍ଷରୁ ମନୋନୟନକାରୀ ଭାବେ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ନାମ ଶୁଣା ଯାଉଥିଲେ ସୁଦ୍ଧା ଶେଷରେ ସବା କରିମଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିଛି । ତେବେ ଦେବାଶିଷ ଏପର୍ଯ୍ୟନ୍ତ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିନଥିବାରୁ ତାଙ୍କର ପ୍ରାର୍ଥିତ୍ୱ ପଥରେ ଏହା ପ୍ରତିବନ୍ଧକ ସାଜିଥିଲା ।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ବିସିସିଆଇର ମାର୍କେଟିଂ କମିଟିରେ ସଦସ୍ୟ ଥିବା ବେଳେ ଓସିଏ କୋଷାଧ୍ୟକ୍ଷ ସତ୍ୟ ମହାନ୍ତି ଅମ୍ପାୟାର୍ସ କମିଟି, ଯୁଗ୍ମ ସମ୍ପାଦକ ରବିଶଙ୍କର ପ୍ରତିହାରୀ ବିସିସିଆଇର କର୍ପୋରେଟ ଟ୍ରଫି କମିଟି, ଯୁଗ୍ମ ସମ୍ପାଦକ ସଞ୍ଜୀବ ଦ ମୁ୍ୟଜିୟମ କମିଟି, ଯୁଗ୍ମ ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ମିଡିଆ କମିଟି ଏବଂ ଦେବାଶିଷ ମହାନ୍ତି ଟେକନିକାଲ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

Exit mobile version