Site icon Odisha.com

ସପ୍ତାହ ଆରମ୍ଭରୁ ଜିଲ୍ଲାପାଳ ଶୁଣିବେ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗୁରୁବାର ଦିନ ସଚିବାଳୟରେ ଜିଲାପାଳମାନଙ୍କ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶନିବାର ପରିବେ ସୋମବାର ଦିନ ଜିଲାପାଳ ଓ ଏସପି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଯୁଗ୍ମ ଶୁଣାଣି କରିବେ ।

ଜନସାଧାରଣଙ୍କ କଲ୍ୟାଣ, ସେମାନଙ୍କ ଅଭିଯୋଗର ଶୁଣାଣି ଏବଂ ଏହାର ସମାଧାନ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ସପ୍ତାହର ପ୍ରଥମ ବାର(ସୋମବାର) ଅଭିଯୋଗର ଶୁଣାଣି ହେବା ଦ୍ୱାରାଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଅଧିକ ତ୍ୱରାନ୍ୱିତ ଭାବେ କରାଯାଇପାରିବ ।

ଜିଲାସ୍ତର ବ୍ୟତୀତ ବ୍ଲକ ଓ ତହସିଲ ସ୍ତରରେ ଅଭିଯୋଗର ଣୁଣାଣିକୁ ପ୍ରାଥମିକତା ଦେବା ନେଇ ପଦକ୍ଷେପ ନେବାକୁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

କେ.ଜି.ଦୁଇଟଙ୍କାରେ ଚାଉଳ, ଗରିବ ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଓଡ଼ିଶା ଚିକିତ୍ସା ପାଣ୍ଠି, ମମତା ଯୋଜନା, ଭିନ୍ନକ୍ଷମଙ୍କ କଲ୍ୟାଣ, ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗାଣ, ସିମେଣ୍ଟ କଂକ୍ରିଟ ରାସ୍ତା, ବିଜୁ ସେତୁ ଯୋଜନା, ସ୍କୁଲରେ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମକୁ ଜିଲ୍ଲାପାଳମାନେ ଜିଲାର ଜନସାଧାରଣଙ୍କ ସହ ସମ୍ପର୍କ ରଖି ଏହିସବୁ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜିଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, ମୁଖ୍ୟ ଶାସନ ସଚିବ ବିଜୟକୁମାର ପଟ୍ଟନାୟକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version