Site icon Odisha.com

ଅକ୍ଟୋବର ପହିଲାରୁ ଭୋଟର ତାଲିକା ସଂଶୋଧନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) -ଅକ୍ଟୋବର ପହିଲାରୁ ଚିଠା ଭୋଟର ତାଲିକା ପ୍ରକାଶିତ ହେବାକୁ ଯାଉଛି । ଆସନ୍ତା ବର୍ଷ ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରୁଥିବା ସମସ୍ତ ଯୁବ ଭୋଟରଙ୍କୁ ମିଶାଇ ରାଜ୍ୟର ୧୪୭ ଟି ବିଧାନସଭା ଆସନରେ ସ୍ୱତନ୍ତ୍ର ଫଟୋ ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ନବନିଯୁକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ମୋନା ଶର୍ମା ପ୍ରକାଶ କରିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଶର୍ମା ଏହି ସ୍ୱତନ୍ତ୍ର ଫଟୋ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ସଂପର୍କରେ ଗ୍ରହଣ କରାଯାଉଥିବା ସବିଶେଷ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିଲେ ।

ଅକ୍ଟୋବର ପହିଲାରୁ ଆରମ୍ଭ ହେଉଥିବା ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ଦାବି ଓ ଅଭିଯୋଗ ଅକ୍ଟୋବର ପହିଲାରୁ ନଭେମ୍ବର ୩ ତାରିଖ ଶନିବାର ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ ।

ଫଟୋଯୁକ୍ତ ଭୋଟର ତାଲିକା ଗ୍ରାମସଭା, ସ୍ୱାୟ ଶାସନ ସଂସ୍ଥା, ଆରଡବ୍ଲୁଏ ବୈଠକରେ ଯାଞ୍ଚ ପାଇଁ ଅକ୍ଟୋବର ୬ ତାରିଖରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଦିବସ ଧାର୍ଯ୍ୟ କରାଯାଇଛି ।

ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ବୁଥସ୍ତରୀୟ ଏଜେଣ୍ଟମାନେ ଭୋଟର ତାଲିକା ସଂକ୍ରାନ୍ତରେ ଦାବି ଏବଂ ଅଭିଯୋଗ କରିବା ପାଇଁ ଅକ୍ଟୋବର ୭, ୧୪ ଏବଂ ୨୧ ତାରିଖ ତିନୋଟି ରବିବାର ଧାର୍ଯ୍ୟ କରାଯାଇଛି ।

ଆସିଥିବା ଦାବି ଏବଂ ଅଭିଯୋଗଗୁଡ଼ିକର ଡିସେମ୍ବର ପହିଲା ସୁଦ୍ଧା ଫଇସଲା କରାଯିବ । ଏହା ପରେ ଡିସେମ୍ବର ପହିଲାରୁ ସମୁଦାୟ ଡିସେମ୍ବର ମାସ ମଧ୍ୟରେ ଡାଟାବେସର ସଂଶୋଧନ, ଫଟୋଗ୍ରାଫ ଗୁଡ଼ିକୁ ତାଲିକାରେ ମୁଦ୍ରଣ, କଣ୍ଟ୍ରୋଲ ଟେବୁଲ ଗୁଡ଼ିକର ସଂଶୋଧନ ଏବଂ ସପ୍ଲିମେଣ୍ଟାରୀ ତାଲିକାର ପ୍ରସ୍ତୁତି ଓ ଛାପା କାର୍ଯ୍ୟ ଶେଷ କରାଯିବ ।

ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ସଂଶୋଧିତ ଭୋଟର ତାଲିକା ଚୂଡ଼ାନ୍ତ ପ୍ରକାଶ ପାଇବ ।

ଓଡିଶା ଡଟ୍ କମ୍

Exit mobile version