Site icon Odisha.com

ଖଣି ଦୁର୍ନୀତି: ୩ ତାରିଖରୁ ଶାହା କମିଶନଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ

ଭୁବନେଶ୍ୱର,ସେପ୍ଟେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) -ଆସନ୍ତା ୩ ତାରିଖରୁ ଓଡ଼ିଶା ଖଣି ଦୁର୍ନୀତିର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବାକୁ ଯାଉଛନ୍ତି ଶାହା କମିଶନ । ଶାହା କମିଶନର ଏକ ୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଆସି ତାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ।

ତଦନ୍ତ ଆରମ୍ଭ ପୂର୍ବରୁ ଇସ୍ପାତ ଓ ଖଣି ବିଭାଗ, ଓଡ଼ିଶା ଖଣି ନିଗମ, ଜଙ୍ଗଲ ଓ ପରିବେଶ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ସମେତ ଖଣି ସହ ଓତଃପ୍ରୋତ ଭାବେ ଜଡ଼ିତ ସମସ୍ତ ବିଭାଗକୁ ନିର୍ଦ୍ଧିଷ୍ଟ ଭାବେ କେତେକ ତଥ୍ୟ କମିଶନ ମାଗିଛନ୍ତି ।

ତଦନ୍ତ ଆରମ୍ଭ କରିବା ପୂର୍ବରୁ କିମ୍ବା ତଦନ୍ତ ସମୟରେ ଶାହା କମିଶନ ଯେକୌଣସି ତଥ୍ୟ ମାଗିବେ ତାକୁ ରାଜ୍ୟସରକାର ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ।

ସଚିବାଳୟରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶାହା କମିଶନ ଗସ୍ତକୁ ନେଇ ଖଣି ସହ ସମ୍ପୃକ୍ତ ସମସ୍ତ ବିଭାଗର ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଶାହା କମିଶନ ଚାହିଁଥିବା ସମସ୍ତ ତଥ୍ୟ ଯେଭଳି ଖୁବଶୀଘ୍ର ଯୋଗାଇ ଦିଆଯିବ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ସଚିବମାନଙ୍କୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version