Site icon Odisha.com

କୋଇଲା ଦୁର୍ନୀତି: ଅଡୁଆରେ ସରକାର !

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) – ସୈନିକ କଂପାନୀର ଚୁକ୍ତିକୁ ରାଜ୍ୟ ସରକାର ବାତିଲ କରିସାରିଥିଲେ ମଧ୍ୟ ତଥାକଥିତ କୋଇଲା ଦୁର୍ନୀତି ଉପରେ ସରକାରଙ୍କ ବିରୋଧରେ ଅଭିଯୋଗ ସରିନାହିଁ ।

ସରକାରଙ୍କ ସହ ଅନ୍ୟ କମ୍ପାନି ମାନେ କରିଥିବା ଚୁକ୍ତି ଗୁଡିକ ବାତିଲ କରି ସିବିଆଇ ତଦନ୍ତ କରିବାକୁ ବିଜେପି ଓ କଂଗ୍ରେସ ଦାବିକରିଛି ।

ସୈନିକ କଂପାନୀର ଚୁକ୍ତିକୁ ବାତିଲ କରି ସରକାର ଏହା ବେଆଇନ ଥିଲା ବୋଲି ସ୍ୱୀକାର କରିଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି । ବେଦାନ୍ତ ସହ ବକ୍ସାଇଟ ପାଇଁ ସରକାର ଅନୁରୁପ ଚୁକ୍ତି କରିଥିବାରୁ ତାକୁ ମଧ୍ୟ ବାତିଲ କରିବାକୁ ସେ ଦାବି କରିଛନ୍ତି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠନେତା ବିଜୟ ମହାପାତ୍ର କହିଛନ୍ତି କେବଳ ଚୁକ୍ତି ବାତିଲ କରିଦେଲେ ଦୁର୍ନୀତି ହଟି ଯିବ ନାହିଁ ତେବେ ଏ ଘଟଣାର ସିବିଆଇ ତଦନ୍ତ କରାଯାଉ ।

ଏସବୁ ଅଭିଯୋଗକୁ ଭିତିହୀନ ଓ ମିଥ୍ୟା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଡାଇ ଚାଲିଥିଲେ । ମାତ୍ର ଏଥର ଖାଲରେ ପଡି ଯାଇଛନ୍ତି ସରକାର । ଯେଉଁ ଅଭିଯୋଗକୁ ଦୁଇରୁ ତିନି ଦିନତଳେ ମିଥ୍ୟା କହି ଏଡାଇ ଯାଇଥିଲେ ସେହ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଛୋପ ନିଜେ ଢୋକିଥିବା କଂଗ୍ରେସ ନେତାମାନେ କହିଛନ୍ତି ।

୨୦୦୩ ଡିସେମ୍ବର ୧୯ରେ ଓଏମ୍ସିକୁ ମିଳିଥିବା ଉତ୍କଳ ଡି କୋଲବ୍ଲକକୁ ରାଜ୍ୟସରକାର ୨୮ ଡିସେମ୍ବର ୨୦୦୩ରେ ନୂଆଦିଲ୍ଲୀର ଏକ ଘରୋଇ କଂପାନୀ ସୈନିକ ସହ ଚୁକ୍ତିକରି ଏହି ଖଣି ପ୍ରଦାନ କରିଥିଲେ ।

ଏଥିରେ ସୈନିକ କଂପାନୀର ଶତକଡା ୭୪ ଭାଗ ଅଂଶଧନ ରହିଥିବା ବେଳେ ୨୬ ଭାଗ ଅଂଶଧନ ଥିଲା ଓଏମ୍ସିର । ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର ଏହି ଚୁକ୍ତିକୁ ବାତିଲ କରିବାପାଇଁ ବାରମ୍ବାର କହିଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ ।

ସିବିଆଇ ତଦନ୍ତ ଆରମ୍ଭ ହେଲା ପରେ ରାଜ୍ୟ ସରକାର ଅଡୁଆରେ ପଡିଯାଇ ନିଜକୁ ବଞ୍ଛାଇବାକୁ ଏହି ଚୁକ୍ତିକୁ ବାତିଲ କରିଥିବା ଜେନା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏବେ ଏହି ଦୁର୍ନୀତିରୁ ମୁକୁଳିବା ପାଇଁ ବାଟ ଖୋଜୁଛନ୍ତି । ପ୍ରତ୍ୟେକ କଥାରେ ଆଇନ ତା ବାଟରେ ଯିବ ବୋଲି କହି ନିଜେ କରିଥିବା ସମସ୍ତ ବେଆଇନ କାର୍ଯ୍ୟକୁ ବାତିଲ କରିବାରେ ଲାଗିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version