Site icon Odisha.com

ପଦଯାତ୍ରା ରାଜନୀତି ସରଗରମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) – ପାଖରେ ନିର୍ବାଚନ ନଥିଲେ ମଧ୍ୟ ଓଡିଶାରେ ରାଜନୀତିର ପାଣିପାଗ ବେଶ୍ ଗରମ ଜଣାପଡୁଛି । ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଲୋକଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବେ ସେନେଇ କଂଗ୍ରେସ ଓ ବିଜେଡି ପୁରାଦମ୍ ରେ ଲାଗି ଯାଇଛନ୍ତି ।

ଲୋକଙ୍କ ନିକଟକୁ ଏବେ ଯିବାକୁ ଏମାନେ ନିଷ୍ପତି ନେଇଥିବାରୁ ମାଧ୍ୟମ ହୋଇଛି ପଦଯାତ୍ରା । ଉଭୟ ଦଳର ପଦଯାତ୍ରା ଆରମ୍ଭ କରିବାର ତାରିଖ ସମାନ । ତେବେ କେବଳ ଆୟୋଜନ ଭିନ୍ନ ।

ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥି ଅକ୍ଟୋବର ୨ରୁ ଉଭୟ ଦଳ କରିବେ ତାଙ୍କର ପଦଯାତ୍ରା । ବିଜେଡି ଏହି ପଦ ଯାତ୍ରା ରାଜ୍ୟର ୫୦ ହଜାର ଗାଁରେ ପ୍ରବେଶ କରିବ ।

ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥରୁ ବିଜେଡି ଆରମ୍ଭ କରିଥିବା ଏହି ପଦଯାତ୍ରା ଅକ୍ଟୋବର ୧୧ ତାରିଖ ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ସରିବ । ଠିକ୍ ସେହିପରି କଂଗ୍ରସର ପଦ ଯାତ୍ରା ମାତ୍ର ଆଠ ଦିନ ଚାଲିବ । ଏହା ଗୋପବନ୍ଧୁ ଜୟନ୍ତୀରେ ଶେଷହେବ ।

ବିଜେଡି ପକ୍ଷରୁ ରାଜଧାନୀରୁ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ ।

ଠିକ୍ ସେହିଦିନ କଂଗ୍ରେସ ପକ୍ଷରୁ ଗାନ୍ଧୀଜୟନ୍ତୀରୁ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ଗୋପବନ୍ଧୁଙ୍କ କର୍ମସ୍ଥଳୀ ବକୁଳ ବନରେ ଏହା ଉଦ୍ୟାପିତ ହେବ ।

କଂଗ୍ରେସ ନବୀନ ପଟ୍ଟନାୟକଙ୍କ ୧୨ ବର୍ଷ ଶାସନ କାଳରେ ହୋଇ ଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ଏହି ପଦଯାତ୍ରା କରୁଥିବା ବେଳେ ବିଜେଡି ତରଫରୁ ନବୀନ ଶାସନର ବିକାଶ କଥା ଏହି ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କୁହା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version