Site icon Odisha.com

ବିପିଏଲ ଛାତ୍ରଙ୍କୁ ସାଇକେଲ ଯୋଜନାର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) -ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀରେ ପଢୁଥିବା ବି.ପି.ଏଲ ଛାତ୍ର ମାନଙ୍କୁ ସାଇକେଲ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପଟ୍ଟନାୟକ କହିଲେ ଯେ ସାମାଜିକ ତଥା ଅର୍ଥନୈତିକ ପରିବର୍ତନ ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ।

ତେଣୁ ଶିକ୍ଷାର ପ୍ରସାର ତଥା ପିଲାମାନଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି ରାଜ୍ୟ ସରକାରଙ୍କ ସାଇକେଲ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଦ୍ୱାରା ପାଞ୍ଚ ଲକ୍ଷ କୋଡିଏ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷାର ପ୍ରସାର ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୁର୍ଣ । ଏଥିପାଇଁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦେଇ ସେ କହିଲେ ଯେ ଗତ ନଅ ବର୍ଷରେ ରାଜ୍ୟ ସରକାର ପ୍ରତିବର୍ଷ ଏକ ହଜାରରୁ ଅଧିକ ନୁଆ ସ୍କୁଲ ପ୍ରତିଷ୍ଠା କରାଉଛି ।

୨୦୦୬-୦୭ ରେ ସ୍କୁଲକୁ ଆସୁନଥିବା ଛାତ୍ରୀ ମାନଙ୍କ ସଂଖ୍ୟା ଦୁଇଲକ୍ଷରୁ ଅଧିକ ଥିବାବେଳେ ୨୦୧୦-୧୧ ରେ ଏହା ୩୫ ହଜାରକୁ କମି ଆସିଛି ।

ଆଗାମୀ ଦିନରେ ସବୁ ଝିଅଙ୍କୁ ସ୍କୁଲକୁ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଝିଅ ପିଲାଙ୍କୁ ସାଇକେଲ ଦିଆଯିବା କାର୍ଯ୍ୟକ୍ରମ ବହୁତ ଭଲ ପ୍ରଭାବ ପକାଇଛି ବୋଲି ମତ ଦେଇ ପଟ୍ଟନାୟକ କହିଲେ ଯେ ମୋବିଲିଟି ହେଉଛି ଏମପାୱାରମେଣ୍ଟ ।

ତେଣୁ ଏହା ପିଲାଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ । ପିଲାମାନେ ସ୍କୁଲ ପାଠପରେ ଉଚ୍ଚଶିକ୍ଷା ଲାଭ କରି ନିଜ ପରିବାର ତଥା ସମାଜର ଅବସ୍ଥାରେ ଉନ୍ନତି ଆଣିବାରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ସୁଚନାଯୋଗ୍ୟ ଯେ ଦଶମ ଶ୍ରେଣୀରେ ପଢୁଥିବା ସବୁ ଝିଅ ମାନଙ୍କୁ ରାଜ୍ୟ ସରକାର ମାଗଣାରେ ସାଇକେଲ ଯୋଗାଇ ଦେଉଥିବାବେଳେ ବର୍ତମାନ ବି.ପି.ଏଲ ପରିବାର ଏବଂ ଏସ୍ସି,ଏସ୍ଟି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦେଉଛନ୍ତି । ଏଥିପାଇଁ ପ୍ରତି ପିଲାକୁ ୨୬୦୦ ଟଙ୍କାର ଚେକ୍ ଦିଆଯାଉଛି ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦ, ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣୀ, ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଭାଗୀରଥୀ ବଡଜେନା, ବିଜୟ ମହାନ୍ତି, ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଉଷା ପାଢୀ ପ୍ରମୁଖ ଯୋଗ ଦେଇ ଶିକ୍ଷାର ପ୍ରସାରରେ ରାଜ୍ୟ ସରକାରଂକ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ବିଭାଗୀୟ ଶାସନ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ସାଇକେଲ ପାଇଁ ୨୬୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ଏବଂ ନୁଆ ସାଇକେଲ କିଣିଥିବା ଝିଅ ପିଲାମାନଙ୍କ ଶୋଭାଯାତ୍ରା କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version