Site icon Odisha.com

ଛାତ୍ର ସଂସଦ ନିର୍ବାଚନ: କଲେଜ ପରିସର ଚଳଚଞ୍ଚଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୩(ଓଡ଼ିଶା ଡ଼ଟ୍ କମ୍) –ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ । ଏନେଇ ଭୁବନେଶ୍ୱରରେ ବିଭିନ୍ନ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି ।

୧୯ ତାରିଖରେ ନିର୍ବାଚନ ହେବା ଘୋଷଣା ହେବା ପରେ ପ୍ରଥମ ଦିନରେ ବଜେବି, ରମାଦେବୀ, ରାଜଧାନୀ, କମଳା ନେହେରୁ, ସିଟି ୱିମେନ, ବେସିକ ସାଇନ୍ସ ପ୍ରଭୃତି କଲେଜରେ ଚଞ୍ଚଳ ହୋଇଉଠିଛି । ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରମୁଖ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁିତି ପର୍ବ ।

ଆଶାୟୀ ଓ ତାଙ୍କ ସହଯୋଗୀମାନେ ଏବେଠାରୁ କଲେଜ ପରିସରରେ କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି । କଲେଜ ଭିତରେ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ମଧ୍ୟ ଏବେ ଠାରୁ ଛାଇ ହୋଇଗଲାଣି । ନିଜନିଜ ସପକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ମନେଇବା ପାଇଁ ଲାଗିପଡିଲେଣି ଆଶାୟୀ ।

ଜ୍ଞାନ,ଚରିତ୍ର ଓ ଏକତାକୁ ଆଧାରକରି ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ଏହି ନିବାଚନ ମଇଦାନକୁ ଓହ୍ଲାଇବ ବୋଲି ସଂଗଠନର ରାଜ୍ୟ ସଂଗଠନ ସଂପାଦକ ଗୋବିନ୍ଦ ନାୟକ ଓଡିଶା ଡଟ୍ କମ୍ କୁ କହିଛନ୍ତି ।

କଂଗ୍ରେସ ଛାତ୍ର ସଂଗଠନ କଲେଜରେ ଶିକ୍ଷକ ମରୁଡି ସମସ୍ୟା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇ ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଭାପତି ଚିନ୍ମୟ ସାହୁ କହିଛନ୍ତି ।

ସେହିପରି କେନ୍ଦ୍ରର ଉପା ସରକାର କିଭଳି ଓଡିଶା ପ୍ରତି ବୈମାତୃକ ମନୋଭାବ ରଖି ରାଜ୍ୟକୁ ହତାଦର କରୁଛି ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅଗବତ କରାଇବ ବୋଲି ଛାତ୍ର ବିଜଦ ସଭାପତି ବ୍ୟୋମକେଶ ରାୟ ମତରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version