Site icon Odisha.com

ଯଜ୍ଞେଶ୍ୱର ବାବୁ ବିଜେଡିରୁ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୩(ଓଡ଼ିଶା ଡ଼ଟ୍ କମ୍) –ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସାଧାରଣ ସଂପାଦକ ଯଜ୍ଞେଶ୍ୱର ବାବୁଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେଡିରୁ ନିଲମ୍ବିତ ହୋଇଥିବା ସାଂସଦ ପ୍ୟାରୀ ମୋହନ ମହାପାତ୍ର ସେପ୍ଟେମ୍ବର ୩୦ ରେ ଓଡିଶା ଜନମୋର୍ଚ୍ଚା ନାମରେ ଏକ ସଂଗଠନ ଗଠନ କରିଥିଲେ ।

ସାଂସଦ ପ୍ୟାରୀ ମହାପାତ୍ରଙ୍କ ପକ୍ଷରୁ ମୋର୍ଚ୍ଚାର ମୁଖ୍ୟ ମୁଖପାତ୍ର ଭାବରେ ଯଜ୍ଞେଶ୍ୱର ବାବୁ ସାମ୍ବାଦିକଙ୍କୁ ଏହି ସୁଚନା ଦେଇଥିଲେ ।

ସେ କହିଥିଲେ ଯେ, ଓଡିଶା ଜନମୋର୍ଚା ଭବିଷ୍ୟକାର୍ଯ୍ୟ ପନ୍ଥା ସଂପର୍କରେ ଶ୍ରୀ ମହାପାତ୍ର ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ।

ଯଜ୍ଞେଶ୍ୱର ବାବୁ ଦଳରୁ ନିଲମ୍ବିତ ହେଲାପରେ କହିଛନ୍ତି ଯେ ସେ ଏଥିପାଇଁ ବିଚଳିତ ନୁହଁନ୍ତି । ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ସେ ପଦକ୍ଷେପ ନେଇଥିଲେ ।

ସେ କୌଣସି ଦଳ ବିରୋଧୀ କାମ କରିନାହଁନ୍ତି । ଦଳକୁ ଶକ୍ତିଶାଳୀ କରିବା ପାଇଁ ଦଳର ସମ୍ବିଧାନ ଅନୁଯାୟୀ କାମ କରିଛନ୍ତି । ସେ ଦଳର ଜଣେ ଶୃଖଂଳିତ କର୍ମୀ ।

ପୂର୍ବତନ ବିଧାୟକ ତଥା ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ପୁଣି କହିଛନ୍ତି ଯେ ବିଜୁ ଜନତା ଦଳ ଗଣତାନ୍ତ୍ରିକ ପ୍ରକ୍ରିୟାରୁ ବାହାରକୁ ଚାଲିଯାଉଥିବାରୁ ଏହି ଦଳ ମଧ୍ୟରେ ସଂସ୍କାର ଆଣିବା ପାଇଁ ତାଙ୍କ ସଂଗଠନର ମୂଳ ଉଦ୍ଦେଶ୍ୟ ।

ଏହାଛଡ଼ା ବିଜେଡି ଭିତରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅଧିକାର ସାବ୍ୟସ୍ତ କରିବାର ଅଧିକାର ନାହିଁ । ତେଣୁ ଏହି ସଂଗଠନ ମାଧ୍ୟମରେ ବିଜୁ ପ୍ରେମୀ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ।

ଏହି ଭଳି ନିଲମ୍ବନକୁ ମୁଁ ବାରମ୍ବାର ସ୍ୱାଗତ କରିବି । ଯଦି ଦଳର ସଭାସମିତି ବ୍ଲକ ସ୍ତରରେ ହେବନାହିଁ,ଜିଲ୍ଲା ସ୍ତରରୁ ହେବନାହିଁ ତେବେ ଦଳର ସାଧରଣକର୍ମୀ ନିଜର ଅଭିଯୋଗ କେଉଁଠି କହିବେ ।

ଗତ ମଇ ୨୯ ତାରିଖରେ ଓଡ଼ିଶା ରାଜନୀତିରେ ତଥାକଥିତ ‘ଷଡଯନ୍ତ୍ର’ ପାଇଁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଜୁନ ୧ ତାରିଖରେ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ ।

କେବଳ ଏତିକି ନୁହେଁ, ପ୍ୟାରୀଙ୍କୁ ଖୋଲାଖୋଲି ସମର୍ଥନ କରିଥିବା କାରଣରୁ ଦୁଇଜଣ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଭୂତି ବଳବନ୍ତରାୟଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

ଏହାଛଡ଼ା ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀ ଅଞ୍ଜଳି ବେହେରା, ସଂଜୀବ ସାହୁ, ସାରଦା ନାୟକ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ଘଡ଼େଇ, ପ୍ରତାପ ଜେନା ପ୍ରମୁଖଙ୍କୁ ପର୍ଯ୍ୟାୟକ୍ରମେ ବିଦା ହେବାକୁ ପଡ଼ିଥିଲା । ଶେଷରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦବୀରୁ ସାଂସଦ ଶ୍ରୀ ମହାପାତ୍ର ଇସ୍ତଫା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version