Site icon Odisha.com

ଏସାର ଷ୍ଟିଲରେ ସୁରକ୍ଷା କର୍ମୀ-ଶ୍ରମିକ ସଂଘର୍ଷ, ୧୦ ଆହତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଅକ୍ଟୋବର ୬(ଓଡିଶା ଡଟ୍ କମ୍)- ପାରାଦ୍ୱୀପ ଉପକଣ୍ଠରେ ଥିବା ଏସାର କାରଖାନା ସମ୍ମୁଖରେ ଶୁକ୍ରବାର ଦିନ ଲଙ୍କାକାଣ୍ଡ ଘଟିଛି ।

ଗୁରୁବାର ରାତିରେ କାରଖାନା ନିକଟରେ ଥିବା ଝୁମ୍ପୁଡି ବସ୍ତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏସାର କାରଖାନା କର୍ତୃପକ୍ଷ ପୂର୍ବରୁ ଏହି ବସ୍ତି ଖାଲି କରିବାକୁ କହୁଥିଲେ; ଏଣୁ କର୍ତୃପକ୍ଷ ଜାଣିଶୁଣି ବସ୍ତିରେ ନିଆଁ ଲଗାଇଛନ୍ତି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଥିଲେ ।

କ୍ଷତିପୂରଣ ଦାବିନେଇ କାରଖାନା ସମ୍ମୁଖରେ ବସ୍ତିଲୋକେ ଧାରଣାରେ ବସିିଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

କାରଖାନାର ଶ୍ରମିକମାନେ ଢେଲା, ପଥର ମାଡକରି ଏସାର ପ୍ରକଳ୍ପ ନିର୍ଦେଶକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡି ଭାଙ୍ଗି ଦେଇଛନ୍ତି । ସୁରକ୍ଷାକର୍ମୀମାନେ ପ୍ରତିବାଦ କରିବାରୁ ସେମାନଙ୍କ ଅଫିସ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଜବାବରେ ଏସାର ସୁରକ୍ଷାକର୍ମୀ ମଧ୍ୟ ଶ୍ରମିକଙ୍କୁ ପିଟିଛନ୍ତି । ଏଥିରେ ଉଭୟ ପକ୍ଷର ୧୦ଜଣ ଆହତ ହୋଇ ବିଜୁ ମେମୋରିଆଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କାରଖାନା ପରିସର ଉତେଜନା ପ୍ରବଣ ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ଗଣ୍ଡଗୋଳ ଖବରପାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସଦଳବଳ ପହଞ୍ଚି ପରିସ୍ଥିିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version