• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

October 8, 2012 by ଓଡିଶା ଡଟ କମ Leave a Comment

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

ଏବେ ଓଡ଼ିଆଙ୍କ ମନ ଭିତରେ ଓଡ଼ିଶା ଜନମୋର୍ଚ୍ଚାକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଏଇଟା କ’ଣ? ଗୋଟିଏ ପଟେ ଜନମୋର୍ଚ୍ଚାର ନେତାମାନେ କହୁଛନ୍ତି ଯେ ସେମାନେ ବିଜୁ ଜନତା ଦଳ(ବିଜଦ)ରେ ଅଛନ୍ତି, ଏବଂ ବିଜଦକୁ ମଜବୁତ୍ କରିବା ପାଇଁ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଛନ୍ତି ।

ଅନ୍ୟ ପଟେ ଯେଉଁ ନେତାଙ୍କ ନାଁ ଜନମୋର୍ଚ୍ଚାର କାର୍ଯ୍ୟକର୍ତା ହିସାବରେ ଆସୁଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ପଛରେ ଲାଗି ଯାଉଛନ୍ତି । ବିଜୁ ଜନତା ଦଳ ନେତାଙ୍କର କହିବା କଥା ଯେ ଗୋଟିଏ ଦଳରେ ରହି ସେହି ଦଳରେ ଆଉ ଗୋଟିଏ ମୋର୍ଚ୍ଚା ଗଠନ କରିବାଟା ଦଳ ବିରୋଧି କାମ ।

ଏ ବିଷୟରେ ଯିଏ ଜବାବ ରଖନ୍ତେ(ସାଂସଦ ପ୍ୟାରୀମୋହନ ମହାପାତ୍ର) ସେ ବ୍ୟକ୍ତି ଜଣକ ଏବେ ଚୁପ୍ । ତାଙ୍କ କହିବା କଥା ଯେ ସେ ଯାହା କହିବେ ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିବେ ।

ଏବେ ସେ କେବଳ ଯଜ୍ଞେଶ୍ୱର ବାବୁଙ୍କୁ ତା’ଙ୍କ ସଙ୍ଗଠନ ବିଷୟରେ କହିବାକୁ ଅନୁମତି ଦେଉଛନ୍ତି । ଯଜ୍ଞେଶ୍ୱର ମଧ୍ୟ ଏ ଯାବତ୍ ମୋର୍ଚ୍ଚା ବିଷୟରେ କେଉଁଠି ହେଲେ ସବୁକଥା ଖୋଲିକରି କହି ନଥିଲେ । ପ୍ରକୃତରେ ଜନମୋର୍ଚ୍ଚା କ’ଣ, ଏହାର ଉଦ୍ଦେଶ୍ୟ କ’ଣ ସେକଥା ଜାଣିବା ପାଇଁ ଓ ପାଠକମାନଙ୍କୁ ଜଣାଇବା ପାଇଁ ଯଜ୍ଞେଶ୍ୱରଙ୍କୁ ଭେଟିଥିଲେ ସୁରେନ୍ଦ୍ର ପାତ୍ର ।

ପ୍ରଶ୍ନ : ଯଜ୍ଞେଶ୍ୱରଜୀ! ପ୍ରକୃତରେ ଏଇ ଜନମୋର୍ଚ୍ଚାଟି କ’ଣ?

ଯଜ୍ଞେଶ୍ୱର : ସିଧା କଥାରେ ଏହା ଏକ ନୂତନ ରାଜନୈତିକ ମୋର୍ଚ୍ଚା, ଏହା ଏକ ସଙ୍ଗଠନ ତଥା ଏକ ମାଧ୍ୟମ ।

ପ୍ରଶ୍ନ: ମାଧ୍ୟମ କାହାର?

ଯଜ୍ଞେଶ୍ୱର : ଏହା ହେଉଛି ସେହି ବିଜେଡି କର୍ମୀମାନଙ୍କର ନିଜ କଥା କହିବାର ଏକ ମାଧ୍ୟମ ଯେଉଁମାନେ ଦୀର୍ଘଦିନ ଧରି ଦଳର ସେବା କରି ଆସୁଥିଲେ ମଧ୍ୟ ଏକରକମ କୋଣଠେସା ହୋଇ ରହିଛନ୍ତି । ସେମାନଙ୍କୁ ସେମାନଙ୍କର କଥାକୁ କହିବା ପାଇଁ ସୁଯୋଗ ମିଳୁନାହିଁ କି ସେମାନଙ୍କ କଥାକୁ ଶୁଣିବା ପାଇଁ କେହି ନଥିବା ପରି ଲାଗୁଛି । ଏହା ବିଜେଡିକୁ ସଜାଡିବା ତଥା ବିଜେଡିରେ ସଂସ୍କାର ଆଣିବାପାଇଁ ଏକ ମାଧ୍ୟମ ।

ପ୍ରଶ୍ନ : ଏହାର ଅର୍ଥ ହେଉଛି ଯେ ଆପଣମାନେ ପୁରାପୁରି ବିଜେଡିରେ ରହି ଜନମୋର୍ଚ୍ଚାକୁ ଚଳାଇବେ?

ଯଜ୍ଞେଶ୍ୱର : ହଁ ।

ସୁପା : ଏକଥା କ’ଣ ସମ୍ଭବ? ଆପଣମାନଙ୍କୁ ତ ବିଜେଡିରୁ ନିଲମ୍ବିତ କରାଯାଇ ସାରିଲାଣି ।

ଯଜ୍ଞେଶ୍ୱର : ଆମେମାନେ ଏବେବି ବିଜେଡିରେ ଅଛୁ ଓ ବହିସ୍କାର ହୋଇନାହୁଁ । ଆପଣ ଦେଖିଥିବେ ମତେ ଯେଉଁଦିନ ନିଲମ୍ବିତ କରାଗଲା ସେ ଖବର ଶୁଣୁଶୁଣୁ ବଲାଙ୍ଗୀରର ଚାରିଜଣ ବ୍ଲକସ୍ତରର ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଦେଲେ ।

ବହିସ୍କାର ପରେ କ’ଣ ହେବ ଆପଣ ଚିନ୍ତା କରନ୍ତୁ । ଆମେ ସବୁ ମଲାମାଛି ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ସିଏ ଆମକୁ ଚା କପରୁ କାଢି ଫୋପାଡି ଦେବ । ତା ବ୍ୟତୀତ ଆମ ଆଗରୁ ମଧ୍ୟ କିଛି ଲୋକ ଏହି ଦଳ ଭିତରେ ଥାଇ ସ୍ୱତନ୍ତ୍ର ମଞ୍ଚ କରି ସାରିଛନ୍ତି । ମତେ ଯେବେ ନିଲମ୍ବିତ କରାଗଲା କୁହାଗଲା (ମତେ କିଛି ଲିଖିତ ଭାବରେ କୁହାଯାଇ ନାହିଁ) ଯେ ମୁଁ କାଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଲି ।

କିନ୍ତୁ ଯେଉଁ ନେତା ଜଣକ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ ସେତ ମୁଖ୍ୟମନ୍ତ୍ରୀଙ୍କୁ ବୁଲାଇ ବଙ୍କାଇ “ମୁର୍ଖ” ବୋଲି କହିଥିଲେ । ସେ’ତ ଦଳର ମହାସଚିବ ଥିଲେ । ଏବେବି ଦଳର ଜଣେ ବରିଷ୍ଠ ଉପସଭାପତି ଅଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ କୌଣସି ବିଷୟରେ କିଛି ନିଷ୍ପତି ନେଇ ପାାରୁ ନାହାନ୍ତି । ଅନ୍ୟର ନିଷ୍ପତିକୁ କେବଳ କାର୍ଯ୍ୟକାରୀ କରାଉଛନ୍ତି । ତା’ମାନେ ମୁଖ୍ୟମନ୍ତ୍ରୀ ମୁର୍ଖ ।

ପୁଣି ସେହି ଲୋକ ଦଳର ନିର୍ବାଚନ ଚିହ୍ନ “ଶଙ୍ଖ”କୁ କହିଥିଲେ “ଗେଣ୍ଡା” । ତାଙ୍କୁ ତ କେହି ଦଳରୁ ବହିସ୍କାର କରିନାହିଁ । ଓଲଟା ସିଏ ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ।

ପ୍ରଶ୍ନ : ଆଜ୍ଞା! ମତେ ସିଧା କହନ୍ତୁ ଯେ ଆପଣମାନେ ବାରବର୍ଷ ଧରି ବିଜେଡିରେ ରହିବା ପରେ ଏବେ କ’ଣ ହେଲା ଯେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବାର ଆବଶ୍ୟକତା ପଡ଼ିଲା?

ଯଜ୍ଞେଶ୍ୱର : ଦେଖନ୍ତୁ ! ଓଡ଼ିଶାରେ ସବୁ ଥାଇ ମଧ୍ୟ ଏହା କେନ୍ଦ୍ର ସରକାରଙ୍କ ଲଗାତର ଅବହେଳା କାରଣରୁ ଦୀର୍ଘ ସମୟ ଧରି ଅବହେଳିତ ହୋଇ ରହିଥିଲା । ଏଥିରୁ ମୁକୁଳିବା ପାଇଁ ଓଡ଼ିଶାରେ ଗୋଟିଏ ଆଂଚଳିକ ଦଳର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହୋଇ ଆସୁଥିଲା ।

କାରଣ ଜାତୀୟ ସ୍ତରରେ ଯେଉଁ ରାଜନୈତିକ ଦଳ ଗୁଡିକ ଅଛନ୍ତି ସେଥିରେ ଥିବା ଓଡ଼ିଆ ନେତାମାନଙ୍କର କଥାକୁ କେହି ଶୁଣନ୍ତି ନାହିଁ । ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ ଭାରତର ନେତାମାନଙ୍କ କଥାକୁ ସେଠି ଅଧିକ ଗୁରୁତ୍ୱ ଦିଆଯାଏ । କେବଳ ବିଜୁବାବୁଙ୍କୁ ଛାଡି ଦେଲେ ଓଡ଼ିଶାର କୌଣସି ନେତା ଦିଲ୍ଲୀରେ, ସଂସଦରେ ବା ସଂସଦ ବାହାରେ ଓଡ଼ିଶା ସପକ୍ଷରେ କିଛି ଦାବି କରି ପାରନ୍ତି ନାହିଁ କି ସେପରି କିଛି ଆଖିଦୃଶିଆ ଜନମତ ସୃଷ୍ଟି କରି ପାରନ୍ତି ନାହିଁ ।

ବିଜୁବାବୁ ମଧ୍ୟ ବାରମ୍ବାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଅର୍ଥନୈତିକ ସାର୍ବଭୌମତା ଦେବାକୁ ଦାବି କରି କରି ଥକି ଗଲେ ପଛେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ନାମରେ ଆମେମାନେ ଓଡ଼ିଶାରେ ଏକ ରାଜନୈତିକ ଦଳ ଗଠନ କରିଥିଲୁ ।

ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରିଥିଲୁ । ଏହା ସହିତ ନବୀନବାବୁ ସାରା ଜୀବନ ଦିଲ୍ଲୀରେ ରହି ଓଡ଼ିଶାର ଭାଷା ଓ ଚାଲିଚଳଣୀ ସହିତ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବସ୍ତୁସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କାରଣରୁ ବିଜୁବାବୁଙ୍କ ସହିତ ବହୁଦିନ ଧରି କାମ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ସରକାର ଓ ସଂଗଠନକୁ ଉଚିତ ମାର୍ଗରେ ଚଳାଇବାର ଦଦାୟିତ୍ୱ ଦିଆଯାଇଥିଲା ।

ନିଜେ ସଭାପତି ସମସ୍ତଙ୍କୁ କହୁଥିଲେ ଯେ ପ୍ୟାରୀବାବୁଙ୍କୁ ଭେଟ । ପ୍ୟାରୀବାବୁଙ୍କ ସଫଳ ଗୋଟିଚାଳନା ଫଳରେ ପ୍ରଥମ ଥର ପାଇଁ ଗୋଟିଏ ଆଞ୍ଚଳିକ ଦଳ ଲଗାତର ତିନିଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ସଫଳ ହେଲା ଓ ରାଜ୍ୟବାସୀଙ୍କର ଏକ ଆଖିଦୃଶିଆ ବିକାଶ ହୋଇ ପାରିଲା ।

ଆଗରୁ ସଂସଦରେ ଓଡ଼ିଶାର ସ୍ୱର କେହି ଶୁଣି ପାରୁ ନଥିଲେ କିନ୍ତୁ ନିଜେ ପ୍ୟାରୀମୋହନ ମହାପାତ୍ର ବିଜେଡିର ସଂସଦୀୟ ଦଳର ନେତା ହେବା ଫଳରେ ସଂସଦରେ ଓଡ଼ିଶାର ଦାବିଗୁଡିକ ଯୋରଦାର ଢଙ୍ଗରେ ଉଠିଲା ।

କେବଳ ସେତିକି ନୁହେଁ ସଂସଦ ଭବନ ପରିସରରେ ବିଭିନ୍ନ ବିଷୟରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥାକୁ ନେଇ ଓଡ଼ିଶାର ସାଂସଦମାନେ ପ୍ଲାକାର୍ଡ ଧରି ଧାରଣା ମଧ୍ୟ ଦେଲେ । ଯାହା ଫଳରେ ଦିନେ ଓଡ଼ିଶାକୁ ଟଙ୍କା ଦେଲା ବେଳକୁ ଯେଉଁ ପ୍ରଧାନମନ୍ତ୍ରୀ କହୁଥିଲେ ଟଙ୍କା ଗଛରେ ଫଳେ ନାହିଁ ସେହି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶାର ସବୁ ଦାବି ପୂରଣ କରିବାକୁ ବାଧ୍ୟ ହେଲେ ।

ପ୍ରଶ୍ନ : ସବୁତ ଠିକ୍ ଥିଲା ପୁଣି ମୋର୍ଚ୍ଚା ଗଠନ ହେଲା କାହିଁକି?

ଯଜ୍ଞେଶ୍ୱର : କେତେଜଣ କୁଚକ୍ରୀଙ୍କ ପାଇଁ । ସେମାନେ ଦେଖିଲେ ଯେ ପ୍ୟାରୀବାବୁଙ୍କର ଲୋକପ୍ରିୟତା ବଢି ଯାଉଛି । ସେମାନେ ବିଜୁବାବୁଙ୍କୁ ଧମକାଇ ଯେପରି ନିଜ ନିଜର ସ୍ୱାର୍ଥସାଧନ କରିପାରୁଥିଲେ ଏଠାରେ ତାହା ହେଉନାହିଁ । ପ୍ୟାରୀବାବୁ କହୁଥିଲେ ଆଗେ ଓଡ଼ିଶା କଥା ଚିନ୍ତା କର । ତେଣୁ ସେମାନେ ସବୁବେଳେ ନବୀନବାବୁଙ୍କ କାନରେ ପକାଇଲେ ଯେ ପ୍ୟାରୀବାବୁ ଆପଣଙ୍କଠାରୁ ଅଧିକ ଲୋକପ୍ରୀୟ ହୋଇ ଯାଉଛନ୍ତି ।

କେଉଁଠାରେ ଯଦି ବିଜେଡି କର୍ମୀମାନେ ଶ୍ରଦ୍ଧାରେ ପ୍ୟାରୀବାବୁଙ୍କର ବଡ଼ ପୋଷ୍ଟରଟାଏ ଲଗାଇଦେଲେ ତେବେ ନବୀନବାବୁଙ୍କୁ କୁହାଗଲା ଯେ ପ୍ୟାରୀବାବୁ ଆପଣଙ୍କଠୁ ବଡ଼ ପୋଷ୍ଟର ଲଗେଇଲେଣି । କେତେବେଳେ ତାଙ୍କୁ କୁହାଗଲା ଯେ ପ୍ୟାରୀବାବୁ ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବାକୁ ବସିଛନ୍ତି ।

ପ୍ରଶ୍ନ : ପ୍ୟାରୀବାବୁ କ’ଣ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ସତରେ ଚାହୁଁ ନାହାନ୍ତି?

ଯଜ୍ଞେଶ୍ୱର : ଜମା ନୁହେଁ । ସିଏ ଯଦି ସେକଥା ଚାହିଁ ଥାଆନ୍ତେ ତେବେ ତାଙ୍କୁ କିଏ ଅଟକାଇ ଥାଆନ୍ତା କି? ଗତ ନିର୍ବାଚନରେ ପରା ୮୦ରୁ ଅଧିକ ଲୋକଙ୍କୁ ସିଏ ଟିକେଟ ଦେଇଛନ୍ତି, ସେମାନଙ୍କ ପାଇଁ ପ୍ରଚାର କରିଛନ୍ତି ଓ ସେମାନଙ୍କୁ ଜିତାଇଥିଲେ ।

ଯଦି ପ୍ୟାରୀବାବୁ କହି ଥାଆନ୍ତେ ତେବେ ନିର୍ବାଚନ ପରେ ପରେ କ’ଣ ସେହି ନୂଆ ବିଧାୟକମାନେ ପ୍ୟାରୀବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ନଥାନ୍ତେ କି? ଏ ସବୁ ହେଉଛି ସେହି ଚକ୍ରାନ୍ତକାରୀଙ୍କ ବେପାର ଯେଉଁମାନେ ଆଗ ନିଜ କଥା ବୁଝନ୍ତି ପରେ ଲୋକଙ୍କ କଥା । ନବୀନବାବୁ ସେକଥାକୁ ନବୁଝି ଓଲଟା ପ୍ୟାରୀବାବୁଙ୍କୁ ସନ୍ଦେହ କଲେ ।

ପ୍ରଶ୍ନ : ସେଇଥିପାଇଁ ନବୀନଙ୍କୁ ହଟାଇଦେବାକୁ ପ୍ୟାରୀବାବୁ ମଇ ୨୯ ବୈଠକ ଡକାଇଥିଲେ ?

ଯଜ୍ଞେଶ୍ୱର : ବେକାର କଥା । ମଇ ତାରିଖର ୨୯ ବୈଠକ ମୋଟେ ନବୀନଙ୍କୁ ହଟାଇବାକୁ ବସି ନଥିଲା । କଥା ହେଉଛି ପ୍ୟାରୀବାବୁ ନବୀନବାବୁଙ୍କର ହାବଭାବ ଦେଖି କରଛଡା ଦେବା ପରେ ପ୍ରଶାସନ ଉପରେ କାହାରି ଅଙ୍କୁଶ ରହିଲା ନାହିଁ ।

ଯାହାଫଳରେ ଜନକହିତକର କାମ ସବୁ ସ୍ଥାଣୁ ହୋଇଗଲା । ଗୋଟିଏ ଉଦାହରଣ ଦେଖନ୍ତୁ । ସେତେବେଳେ ଆମ ଚିରମରୁଡିଗସ୍ତ ପଶ୍ଚିମ ଓଡ଼ିଶା ସହିତ କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରର ଅନେକ ଅଂଚଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗକୁ ଲୋକଙ୍କୁ ପିଇବାପାଣି ମିଳୁ ନଥାଏ । ତା ସାଙ୍ଗକୁ ଘନଘନ ବିଜୁଳିକାଟ ଜନନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ଲୋକମାନେ ଆସି ପାଣି ଓ ବିଜୁଳୀ ଯୋଗାଇ ଦେବାକୁ ବିଧାୟକମାନଙ୍କ ଉପରେ ଚାପ ପକାଉ ଥାଆନ୍ତି ।

ହେଲେ ବିଧାୟକମାନେ କହିବେ କାହାକୁ? ଅଫିସରମାନେ ତାଙ୍କ କଥାକୁ କାନକୁ ନେଲେ ନାହିଁ । ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ନବୀନ ନିବାସ ନହେଲେ ସଚ୍ଚିବାଳୟର ହାଇ ସିକ୍ୟୁରିଟୀ ଜୋନ୍ ଭିତରେ ପଶି ରହିଲେ ।

ସିଏ ବା କାହାକୁ ଚିହ୍ନିଥିଲେ ଯେ କାହାକୁ କ’ଣ କହିଥାଆନ୍ତେ କି କରିଥାଆନ୍ତେ? ତେଣୁ ବିଧାୟକମାନେ ନିଜ ସମସ୍ୟା ବିଷୟରେ କହିବାକୁ ହନ୍ତସନ୍ତ ହୋଇଗଲେ । ଲୋକଙ୍କର ଯେତେବେଳେ ଏଇ ଅବସ୍ଥା ସେତିକିବେଳକୁ ପୁଣି ନବୀନବାବୁ ଲମ୍ବା ଟୁରରେ ବିଦେଶ ଚାଲିଗଲେ ।

ବିଧାୟକମାନେ ଯେତେଦେବେଳ ପ୍ୟାରୀବାବୁଙ୍କୁ କିଛି କରିବାକୁ କହିଲେ ସେତେବେେଳେ ପ୍ୟାରୀବାବୁ ଗୋଟିଏ ଦିନ ଧାର୍ଯ୍ୟ କରି ବିଧାୟକମାନଙ୍କୁ କହିଲେ ଯାହାର ଯାହା କହିବାର ଅଛି ଲେଖିକରି ଦିଅ । ନେତା ବିଦେଶରୁ ଫେରିଲେ ସେସବୁ ଲେଖାକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେବି ଆଉ କହିବି ଯେ ଚୁଗୁଲି ପଛେ ଶୁଣିବ, ଆଗ ଲୋକଙ୍କ କଥା ବୁଝ ।

ପ୍ରଶ୍ନ : ଏକଥା ପାଇଁ ରାତି ଅଧିଆ ବୈଠକ କରିବାର କ’ଣ ଆବଶ୍ୟକତା ଥିଲା?

ଯଜ୍ଞେଶ୍ୱର : ଏଇଟା ରାତିଅଧିଆ ବୋଲି ଆପଣ କେମିତି କହୁଛନ୍ତି ମୁଁ ଜାଣିନି । ପ୍ରଥମ କଥା ହେଲା ସେଦିନ ସେମିତି କିଛି ବୈଠକ ମୋଟେ ହୋଇନାହିଁ । ଚାରି ଜଣିଆ ପାଞ୍ଚ ଜଣିଆ ଦଳରେ ପାଖାପାଖି ୩୦ ଖଣ୍ଡେ ବିଧାୟକ ଯାଇ ୧୫ ମିନିଟ / ୨୦ ମିନିଟ ଭିତରେ ସେମାନଙ୍କ କଥା କହି, ଲେଖା ଦେଇ ଦସ୍ତଖତ କରି ବାହାରି ଆସୁଥିଲେ ।

ରାତି ସାଢେ ଏଗାରଟା ବେଳକୁ ପ୍ୟାରୀବାବୁଙ୍କ ଦେହ ଖରାପ ଥିବାରୁ ସିଏ କହିଲେ ଯେ ସିଏ ଶୋଇବାକୁ ଯିବେ । ନବୀନବାବୁ ତ ନିଜେ ସେଦିନ ସଂଧ୍ୟାରେ ଫୋନ୍ କରି ବୁଝିଲେ ଯେ ସେଦିନ ପ୍ୟାରୀବାବୁଙ୍କ ଘରେ କିଛି ବି ବୈଠକ ହେଉ ନଥିଲା । ତାହେଲେ ରାତିଅଧିଆ ଅପରେଶନ କ’ଣ ହେଲା? ବରଂ ମଇ ୨୯ ତାରିଖ ରାତିରେ ନବୀନବାବୁଙ୍କ ଅନୁପସ୍ଥିତିରେ ମିଛରେ ପ୍ରଚାର କରାଯାଇ ପ୍ୟାରୀବାବୁଙ୍କ ରାଜନୀତି ସଫା କରିଦେବାକୁ ଏକ ମିଡନାଇଟ ଅପରେସନ ନବୀନ ନିବାସରେ କରାଯାଇଥିଲା ବୋଲି ଏବେ ଲୋକେ ବୁଝି ଗଲେଣି ।

ଯେଉଁମାନେ ବୁଝି ନାହାନ୍ତି ସେମାନେ ଖୁବ୍ ଶୀଘ୍ର ବୁଝିଯିବେ । କୌଣସି ଟିଭି ଚ୍ୟାନେଲ କ’ଣ ଲୋକଙ୍କୁ ସବୁବେଳେ ବୋକା ବନେଇ ରଖିପାରିବ କି?

ପ୍ରଶ୍ନ : ହେଲେ ସବୁଠିତ ସେଇକଥା କୁହାଯାଉଛି ।

ଯଜ୍ଞେଶ୍ୱର : ସବୁଠି ନୁହେଁ । ଆମରି ଦଳର ଜଣେ କୁଚକ୍ରୀ ସାଂସଦ ଯିଏ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି, ସେହି ତାଙ୍କ ଟିଭି ଚ୍ୟାନେଲରେ ପ୍ରଥମେ ପ୍ରଚାର କରାଇ ଦେଲେ ଯେ କ୍ଷମତା ପରିବର୍ତନ ପାଇଁ ପ୍ୟାରୀବାବୁଙ୍କ ଘରେ ବୈଠକ ଚାଲିଛି ।

ତା’କୁ ଅନ୍ୟ କିଛି ଟିଭି ଚ୍ୟାନେଲ୍ ଏକ ଚମକ୍ରାରୀ ଖବର ଭାବରେ ପ୍ରଚାର କରାଇ ଚାଲିଲେ । ପୁଣି ସେହି ସାଂସଦଙ୍କ ଟିଭି ଚ୍ୟାନେଲ ଜଣେ ବିବାଦିତ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଆଣି ଠିଆ କରାଇ କହିଲା ଯେ ସେ କାଳେ ଦେଖିଛନ୍ତି ଯେ ସେମାନେ ଯେଉଁ କାଗଜରେ ଦସ୍ତଖତ ଦେଉଥିଲେ ସେଥିରେ ଲେଖାଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନୂଆ ନେତା ।

ପୁଣି କହିଲେ ଜଣେ ଲୋକ, ହେଲେ ଦେଖାଇଲେ ଧାଡି କରି ଠିଆ ହୋଇଥିବା ପାଂଚ ଜଣଙ୍କ ଫଟୋ ।

ପ୍ରଶ୍ନ : ଆପଣ ବିଶ୍ୱାସ କରୁଛନ୍ତି ଯେ ଏ କାହାଣୀକୁ ଓଡ଼ିଶାର ଲୋକେ ବିଶ୍ୱାସ କରିବେ?

ଯଜ୍ଞେଶ୍ୱର : ଏଇଟା କାହାଣୀ ନୁହେଁ ଆଜ୍ଞା! ଏଇଟା ତଥ୍ୟ ଉପରେ ପରିବେଶିତ ପ୍ରମାଣ ହୋଇ ସାରିଥିବା ସତ୍ୟ । ଉଦାହରଣ ଦେଖନ୍ତୁ । ନବୀନବାବୁ ଓଡ଼ିଶା ଫେରିବା ପରେ ତା’ଙ୍କୁ ପ୍ୟାରୀ ବିରୋଧୀ ତିନି ଚାରି ଜଣ ନେତା କହିଥିଲେ ଦେଲେ ଯେ ଏକରେ ସେଦିନ ୪୦ରୁ ଅଧିକ ବିଧାୟକ ପ୍ୟାରୀବାବୁଙ୍କ ଘରେ ଏକାଠି ହୋଇ ବୈଠକ କଲେ ଓ ଗୋଟିଏ କାଗଜରେ ଦସ୍ତଖତ କରିଛନ୍ତି ଯେଉଁଥିରେ ଲେଖା ହୋଇଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନେତା ।

ଦୁଇରେ ୨୯ ତାରିଖ ରାତିରେ ପ୍ୟାରୀ ମହାପାତ୍ର ରାଜଭବନକୁ ଫୋନ୍ କରି ରାଜ୍ୟପାଳଙ୍କୁ ସମୟ ମାଗିଥିଲେ ଓ ରାଜ୍ୟପାଳ ତା ପରଦିନ ୧୧ଟା ବେଳେ ଆସିବାକୁ ସମୟ ଦେଇଥିଲେ । ତିନିରେ ଭୁବନେଶ୍ୱରର ଏକ ହୋଟେଲରେ ୬୨ଟା କୋଠରୀ ଭଡାରେ ନିଆ ଯାଇଥିଲା ଯେଉଁଥିରେ ପ୍ୟାରୀଙ୍କ ଘରେ ବୈଠକ କରିଥିବା ଓ ନଥିବା ୬୦ ଜଣ ବିଧାୟକ ରହିଥାଆନ୍ତେ ଏବଂ ସେମାନେ ସେହିଠାରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ପ୍ୟାରୀବାବୁଙ୍କ ସପକ୍ଷରେ ଲିଖିତ ସମର୍ଥନ ଦେଇଥାଆନ୍ତେ ଓ ସେଠାରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଥାଆନ୍ତେ ।

ପୁରୀରେ ବି ଜଣେ ବରିଷ୍ଠ ବିଧାୟକ କାଳେ ଏହି ବିଧାୟକମାନଙ୍କର ଜଗନ୍ନାଥ ଦର୍ଶନ ସହିତ ସମୁଦ୍ରକୂଳରେ ରହଣୀ ପାଇଁ ଏକ ବଡ଼ ହୋଟେଲ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏସବୁ କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଓ କେନ୍ଦ୍ରର ଗୁଇନ୍ଦା ବିଭାଗ ସହିତ ନିଜ ତରଫରୁ ଦିଲ୍ଲୀର ଏକ ବେସରକାରୀ ଗୁଇନ୍ଦା ସଂସ୍ଥାକୁ ବି ଲଗାଇଥିଲେ ।

ସେମାନେ ସବୁ ରିପୋର୍ଟ ଦେଲେ ଯେ ସବୁ କଥା ମିଛ । ସେଦିନ ପ୍ୟାରୀଙ୍କ ଘରେ ୪୦ ନୁହେଁ ୪୦ରୁ କମ୍ ବିଧାୟକ ଦଳ ଦଳ ହୋଇ ବିଭିନ୍ନ ସମୟରେ ପହଞ୍ଚିଥିଲେ । ସେମାନେ ସବୁ ଯାଉଥିଲେ ଓ ଆସୁଥିଲେ । ସଂଧ୍ୟାରେ କେବଳ ଅଳ୍ପକିଛି ବିଧାୟକଙ୍କୁ ନେଇ ଏକ ବୈଠକ ହୋଇଥିଲା ।

ଯେଉଁ ହୋଟେଲ କଥା କୁହାଯାଇଥିଲା ସେ ହୋଟେଲର ରେଜିଷ୍ଟରରରୁ ଜଣା ପଡ଼ିଲା ଯେ ସେଦିନ ୬୨ତ ଛାଡନ୍ତୁ ଏକାଥରକେ କେହି ୩ଟି ମଧ୍ୟ କୋଠରୀ ଏକାସାଙ୍ଗରେ ବୁକ୍ କରି ନଥିଲେ । ତା ପରେ ରାଜଭବନ ସିଧା କହିଥିଲା ଯେ ୨୯ ତାରିଖରେ ବିଜେଡିର କେହି ବି ଦଳବଳ ହୋଇ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗି ନଥିଲେ କି ରାଜ୍ୟପାଳ ବି ୩୦ ତାରିଖରେ କାହାରିକୁ ଭେଟିବା ପାଇଁ ସମୟ ଦେଇ ନଥିଲେ ।

ବରଂ ପ୍ୟାରୀବାବୁ ଯାହା କହିଥିଲେ ସେଇଟା ହିଁ ରିପୋର୍ଟରୁ ମିଳିଥିଲା ଯେ କିଛି ବିଧାୟକ ସେମାନଙ୍କ ଅଂଚଳର ସମସ୍ୟା ବିଷୟରେ ଲେଖିକରି ଦେଇଥିଲେ । ଆମ ଦଳର ଆଉ ଜଣେ ସାଂସଦ ତାଙ୍କ ଦୈନିକ ସମ୍ବାଦପତ୍ରରେ ଲେଖିଦେଲେ ଯେ ୩୦ ତାରିଖରେ ହୋଟେଲରେ ଯେଉଁ ସାମ୍ବାଦିକ ସମ୍ମିଳନୀ ପ୍ୟାରୀବାବୁ କରିଥିଲେ ତାକୁ କାଳେ ମୁଁ ଆୟୋଜନ କରିଥିଲି ।

ଏପରି ମିଛ ଗାଳ୍ପିକଙ୍କ ବିରୁଦ୍ଧରେ ଆମେ କ’ଣ କରି ପାରିବୁ?

ପ୍ରଶ୍ନ : ଠିକ୍ ଅଛି । କିନ୍ତୁ ଓଡ଼ିଶା ଜନମୋର୍ଚ୍ଚା ଗଠନର ଆବଶ୍ୟକତା କ’ଣ ଏଇଥିପାଇଁ ପଡ଼ିଲା?

ଯଜ୍ଞେଶ୍ୱର : ହଁ! ଏହା ସେଇଥିପାଇଁ ପଡ଼ିଲା ଯେଉଁଥିପାଇଁ ମଇ ୨୯ ତାରିଖ ଦିନ ବିଧାୟକମାନେ ପ୍ୟାରୀବାବୁଙ୍କ ପାଖକୁ ଯାଇଥିଲେ । ଏବେ ଦଳର ନେତା ଓ ସବୁ କୁଚକ୍ରୀମାନଙ୍କୁ ବୁଝିବାକୁ ପଡ଼ିବ ଯେ ବିଜେଡି କେବଳ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ସୃଷ୍ଟି ହୋଇ ନଥିଲା ।

ଏହା କେନ୍ଦ୍ର-ପୀଡିତ ଦୁଖିନୀ ଓଡ଼ିଶାର ଆର୍ଥିକ, ସାମାଜିକ ସହିତ ରାଜନୈତିକ ସ୍ଥିତିର ବିକାଶ କରିବା ପାଇଁ ଗଠିତ ହୋଇଛି । କିଛି ଲୋକଙ୍କ ମଉଜ ପାଇଁ ନୁହେଁ । ଏହାର ଯିଏ ବି ନେତା ହୁଅନ୍ତୁ ନା କାହିଁକି ତାଙ୍କୁ ପ୍ରଥମେ ଲୋକଙ୍କ ସମସ୍ୟା କଥା ବୁଝିବାକୁ ହେବ ଓ ପ୍ରଶାସନକୁ ସମ୍ବେଦନଶୀଳ କରିବାକୁ ହେବ ।

ପ୍ରଶ୍ନ : ଆପଣ ଭାବୁଛନ୍ତି ଲୋକେ ଏ କଥାକୁ ଠିକ୍ ବୋଲି ଗ୍ରହଣ କରିବେ?

ଯଜେ୍ଞଶ୍ୱର : ଅପେକ୍ଷା କରନ୍ତୁ! ସମୟ କହିବ କିଏ ଠିକ ଆଉ କିଏ ଭୁଲ୍ ।

ପ୍ରଶ୍ନ : ଶେଷର ଗୋଟିଏ ସିଧା ପ୍ରଶ୍ନ ପଚାରିବି ଯେ ଓଡ଼ିଶା ଜନମୋର୍ଚ୍ଚା ସବୁଦିନେ କେବଳ ବିଜେଡିରେ ସଂସ୍କାର ଆଣିବା ପାଇଁ ଏକ ସଂଗଠନ ହୋଇ ରହିବ ନା ଏହା ମଧ୍ୟ ଏକ ନୂଆ ରାଜନୈତିକ ଦଳର ରୂପ ନେବ?

ଯଜ୍ଞେଶ୍ୱର : ଏକଦମ ସିଧା ଜବାବ ଦେଉଛି ଯେ ଜନମୋର୍ଚ୍ଚାର ଗଠନ ହୋଇଛି ଦଳରେ ସଂସ୍କାର ଆଣିବାପାଇଁ । ଆମେ ଦାବି କରୁଛୁ ଓ କରିବୁ ଯେ ବିଜେଡି ମାତ୍ର ଚାରିପାଂଚ ଜଣ ଲୋକଙ୍କର ମର୍ଜିରେ ନୁହେଁ ଦଳର ସମ୍ବିଧାନ ଓ କାର୍ଯ୍ୟକର୍ତାଙ୍କର ମତ ଅନୁଯାୟୀ ଚାଲୁ ।

ଦଳରେ କାର୍ଯ୍ୟକର୍ତାମାନଙ୍କର ମତ ରଖିବା ପାଇଁ ଯେଉଁ ସବୁ ସାଙ୍ଗଠନିକ ବୈଠକ ହେବା କଥା ତାହା ହେଉ । କାର୍ଯ୍ୟକର୍ତା ର୍ାମାନେ ଲୋକଙ୍କର ଯେଉଁ ସମସ୍ୟା ଆଣୁଛନ୍ତି ତାକୁ ସରକାର ସମ୍ବେଦନଶୀଳ ଭାବରେ ଶୁଣୁ ଓ ତାହାର ସମାଧାନ କରୁ । ଯଦି ଏହାକୁ କିଛି ଲୋକ ଦଳବିରୋଧି ଭାବି ଆମକୁ ଓଲଟା ନିଲମ୍ବିତ ଓ ବହିସ୍କାର କରି ଚାଲିବେ ତେବେ ଆମେ ମଧ୍ୟ ଅନ୍ୟ କଥା ଚିନ୍ତା କରିବାକୁ ବାଧ୍ୟ ହେବୁ ।

ପ୍ରଶ୍ନ : ଧନ୍ୟବାଦ୍ ।

ସୌଜନ୍ୟ : ଦୈନିକ ନବଭାରତ, ଭୁବନେଶ୍ୱର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି, ସାକ୍ଷାତକାର Tagged With: ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ, ଯଜ୍ଞେଶ୍ୱର ବାବୁ, ସାକ୍ଷାତକାର, ସାମ୍ବାଦିକ ସମ୍ମିଳନୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version