Site icon Odisha.com

ସହିଦନଗରରେ ଖୋଲିଲା ଓଡ଼ିଶା ଜନମୋର୍ଚ୍ଚା କାର୍ଯ୍ୟାଳୟ

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୯(ଓଡ଼ିଶା ଡଟ୍ କମ୍)-ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ନବଗଠିତ ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ୧୮୯ ସହିଦନଗର ପୋଷ୍ଟ ଅଫିସ୍ ପାଖରେ ମୋର୍ଚ୍ଚାର ନଗର କାର୍ଯ୍ୟାଳୟ ଖୋଲା ଯାଇଛି ।

ପୂଜାହୋମ ପରେ କାର୍ଯ୍ୟାଳୟ ଖୋଲା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯଜ୍ଞେଶ୍ୱରବାବୁ, ମିହିର ମହାନ୍ତି, ଡ.ଶରତ ମିଶ୍ର, ଶେଷଦେବ ପାତ୍ର, ଡ.ହରିଶ୍ଚନ୍ଦ୍ର ନାୟକ, ରାଜେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

କାମର ଗୁରୁତ୍ୱ ଦୃଷ୍ଟିରୁ ଆହୁରି ଗୋଟିଏ ଘର ଭଡା ନିଆ ଯାଇ ସହିଦ ନଗରରେ ମୋର୍ଚ୍ଚାର ମୁଖ୍ୟ କାର୍ଯ୍ୟାଳୟ ଖୋଲା ଯିବ ବୋଲି ଆଲୋଚନା ହୋଇଛି ।

ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ୧ତାରିଖରେ ଲୋୟର ପିଏମଜିଠାରେ ୫୦ହଜାର ଲୋକଙ୍କ ସମାବେଶ ପାଇଁ ଅନୁମତି ଦେବାକୁ କମିଶନରେଟ ପୁଲିସକୁ ଆବେଦନ କରାଯାଇଥିଲା ।

ଏଥିରେ ସମାବେଶର ନିର୍ଦ୍ଧିଷ୍ଟ ତାରିଖ ଉଲ୍ଲେଖ ନଥିଲା । ପରେ ୪ତାରିଖରେ ଡିସିପିଙ୍କୁ ପୁନର୍ବାର ଆବେଦନ କରାଯାଇଥିଲା ଓ ୨୮ତାରିଖରେ ସମାବେଶ କରାଯିବ ବୋଲି ଉଲ୍ଲେଖ ରହି ଅନୁମତି ପାଇଁ ଅନୁରୋଧ କରାଯାଇଥିଲା । ମୋର୍ଚ୍ଚା ତରଫରୁ ଆସନ୍ତା ୨୮ତାରିଖରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରିବାକୁ ନିଷ୍ପତି ହୋଇଛି ।

ଲୋୟର ପିଏମଜିରେ ଏହି ସମାବେଶ ଆୟୋଜନାର ଅନୁମତି ପ୍ରଦାନକୁ ନେଇ କମିଶନରେଟ ପୁଲିସ ଏବେ ଅଡ଼ୁଆରେ ପଡ଼ିଯାଇଛି ।

ସମାବେଶ ପାଇଁ ଅନୁମତି ପ୍ରଦାନ ଦାୟିତ୍ୱ ଡିସିପିଙ୍କର ବୋଲି କହି ପୁଲିସ କମିଶନର ସୁନୀଲ ରାୟ ଏହି ପ୍ରସଙ୍ଗ ଡିସିପି ନୀତିନ ଜିତ ସିଂହଙ୍କ ଉପରେ ପକାଇ ଦେଇଛନ୍ତି ।

ଏ ସଂକ୍ରାନ୍ତରେ କମିଶନରେଟ ପୁଲିସ ପକ୍ଷରୁ ଅଦ୍ୟାବଧି କୌଣସି ନିଷ୍ପତି ନିଆଯାଇପାରିନାହିଁ; ବରଂ ଏ ନେଇ ଏସିପି ଓ ସମ୍ପୃକ୍ତ ଅଞ୍ଚଳର ଥାନାଧିକାରୀଙ୍କଠାରୁ ଅନୁଧ୍ୟାନ ରିପୋର୍ଟ ଆହ୍ୱାନ କରାଯାଇଛି । ଏ ନେଇ ଜନମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

ଏ ନେଇ ଜନ ମୋର୍ଚ୍ଚାର ମୁଖପାତ୍ର ଯଜ୍ଞେଶ୍ୱର ବାବୁ କହିଛନ୍ତି, ଶୀଘ୍ର ଅନୁମତି ଦେଲେ ଆମେ ସମାବେଶ ପାଇଁ ଆୟୋଜନ କରିବୁ ।ଏହା ଏକ ସାଧାରଣ ବିଷୟ ହୋଇଥିବାବେଳେ ପୁଲିସ ଏଥିନେଇ ବିବ୍ରତ ହେବାର ନାହିଁ ।

୨୮ତାରିଖର ସମାବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ଏବଂ କୌଣସି ବିକ୍ଷୋଭ ବା ଘେରାଉ କାର୍ଯ୍ୟକ୍ରମ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡଟ୍ କମ୍

Exit mobile version