Site icon Odisha.com

ସାଧାରଣ ବଣ୍ଟନ ବ୍ୟବସ୍ଥା, ଧାନ ସଂଗ୍ରହ ସଂପର୍କରେ ସମୀକ୍ଷା

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୦(ଓଡ଼ିଶା ଡଟ୍ କମ୍)-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସାଧାରଣ ବନ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରି ଉପଭୋକ୍ତା ମାନଙ୍କୁ ନିୟମିତ ଭାବେ ସମସ୍ତ ପଦାର୍ଥ ସୁବିଧାରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ଧାନ ସଂଗ୍ରହ କ୍ଷେତ୍ରରେ ଚାଷୀମାନେ ଯେପରି ସୁବିଧାରେ ସେମାନଙ୍କ ଅମଳ ବିକ୍ରି କରିପାରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ସୁଚନା ଅନୁଯାୟୀ, ରାଜ୍ୟର ୩୬,୯୩, ୩୧୭ ବି.ପି.ଏଲ୍ ପରିବାର, ୬,୦୪,୫୫୧ ଗରିବ ବଞ୍ଚିତ ପରିବାର ଏବଂ ଅନ୍ତୋଦୟ ଅନ୍ନ ଯୋଜନାରେ ୧୨,୫୩,୨୫୨ ପରିବାର କିଲୋ ୨ ଟଙ୍କାରେ ଚାଉଳ ପାଉଛନ୍ତି । ଏହା ବ୍ୟତୀତ ଏସ.ସି-ଏସ.ଟି ହଷ୍ଟେଲ ଓ ଅନ୍ୟ କେତେକ ଯୋଜନାରେ ମଧ୍ୟ କିଲୋ ୨ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି ।

ଚାଉଳ, ଗହମ ଓ ଚିନି ଯୋଗାଣର ସୁବିଧା ପାଇଁ ୨୩୭ ଟି ଚାଉଳ ସଂଗ୍ରହ କେନ୍ଦ୍ର -ତଥା-ବିଭାଗୀୟ ଷ୍ଟୋରେଜ କେନ୍ଦ୍ର କାର୍ଯ୍ୟ କରୁଛି । ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏହାକୁ ଅନ୍ଲାଇନ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଜିନିଷପତ୍ର ମହଜୁଦ ରଖିବା ପାଇଁ ଅଧିକ ଡିପୋ ଖୋଲିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଯୋଗାଣ ବିଭାଗ ସଚିବ ମଧୁସୁଦନ ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡଟ୍ କମ୍

Exit mobile version