Site icon Odisha.com

ବସ ଭଡା ବୃଦ୍ଧି ନ ହେଲେ ନଭେମ୍ବର ୧ରୁ ଧର୍ମଘଟ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୨ (ଓଡିଶା ଡଟ୍ କମ୍)-ଘରୋଇ ବସ୍ ମାଲିକ ସଂଘ ଆସନ୍ତା ୧୪ ତାରିଖରେ ଡାକରା ଦେଇଥିବା ଧର୍ମଘଟ ଘୁଞ୍ଚି ଯାଇଛି । ଯଦି ଆସନ୍ତା ୩୧ ତାରିଖ ସୁଦ୍ଧା ବସ ଭଡା ବୃଦ୍ଧି କରାନଯାଏ ତେବେ ନଭେମ୍ବର ୧ ତାରିଖରେ ପୁଣି ଆନ୍ଦୋଳନ ହେବ ବୋଲି ମାଲିକ ସଂଘ କହିଛନ୍ତି ।

ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇଙ୍କ ସହ ମାଲିକ ସଂଘର କର୍ମକର୍ତାଙ୍କ ବୈଠକ ସଚିବାଳୟରେ ହେବାପରେ ପ୍ରସ୍ତାବିତ ଧର୍ମଘଟ ଘୁଞ୍ଚାଇବାକୁ ନିଷ୍ପତି ହୋଇଛି । ଦଶହରା ଦୃଷ୍ଟିରୁ ଧର୍ମଘଟ ଘୁଞ୍ଚାଇବା ନିମନ୍ତେ ସରକାର ଅନୁରୋଧ କରିଥିଲେ ।

ସରକାରଙ୍କ ଅନୁରୋଧପରେ ମାଲିକ ସଂଘର ଏକ ବୈଠକ ଡକାଯାଇ ୧୪ ତାରିଖ ଧର୍ମଘଟକୁ ସ୍ଥଗିତ ରଖା ଯାଇଛି । ଡିଜେଲ ଦର ବୃଦ୍ଧିହେବାପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଟିକସ ହ୍ରାସ ଓ ଭଡା ବୃଦ୍ଧି ଲାଗି ସରକାରଙ୍କ ନିକଟରେ ଦାବିକରିଥିଲେ ।

ଆଜିର ଏହି ବୈଠକରେ ବସ୍ ଭଡା ବୃଦ୍ଧି କରାଯିବ ବୋଲି ନିଷ୍ପତି ନିଆ ଯାଇଛି । ତେବେ ଚୁଡାନ୍ତ ନିଷ୍ପତି ନେବାକୁ ସମୟ ଲାଗିବ ।

ଯେପରି ଯାତ୍ରୀମାନଙ୍କୁ ନବାଧିବ ଓ ବସ୍ ମାଲିକମାନେ ବିଶେଷ କ୍ଷତିଗ୍ରସ୍ତ ହେବନାହିଁ ସେଥିପ୍ରତି ଦୃଷ୍ଟିଦେଇ ସରକାର ନିଷ୍ପତି ନେବେ ବୋଲି ବସମାଲିକ ସଂଘର କୋଷାଧକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version