Site icon Odisha.com

ପ୍ରଶ୍ନପତ୍ର ଚୋରି ଘଟଣାରେ ପିଅନ, ରାତ୍ର ଜଗୁଆଳି ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କାକଟପୁର,ଅକ୍ଟୋବର ୧୩ (ଓଡିଶା ଡଟ୍ କମ୍ )- ବହୁଚର୍ଚ୍ଚିତ ହାଇସ୍କୁଲ ସାର୍ଟିଫିକେଟ ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ଘଟଣାରେ ଦୁଇଜଣ ଅଭିଯୁକ୍ତ ପୁରୀ ଜିଲା କାକଟପୁର ନିକଟସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠର ପିଅନ ରୋହିତ ଭୋଇ ଓ ରାତ୍ର ଜଗୁଆଳି ପତିତପାବନ ଚାନ୍ଦଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ କରିଛି ।

ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବାଜପୁର ଭଗବତୀ ବିଦ୍ୟାପୀଠରୁ ଚୋରି ହୋଇଯିବାରୁ ସମଗ୍ର ରାଜ୍ୟରେ ୨୫ଦିନ ପରେ ଆଉଥରେ ପରୀକ୍ଷା କରାଇବାକୁ ପଡିଥିଲା ।

ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ଆଇଜି ବିଜୟ ଶର୍ମାଙ୍କ ପ୍ରତ୍ୟକ୍ଷ ତଦାରଖରେ ମାମଲାର ତଦନ୍ତ ଚାଲିଛି ।

କ୍ରାଇମବ୍ରାଞ୍ଚ ଡିଏସପି ବି.ପି. ଚକ୍ରବର୍ତୀଙ୍କ ନେତୃତ୍ୱରେ ଏକ ଦଳ ଶୁକ୍ରବାର ଦିନ ଏ ଦୁଇଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି ।

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ର ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

କ୍ରାଇମବ୍ରାଞ୍ଚ ଡିଏସପି ଶ୍ରୀ ଚକ୍ରବର୍ତୀ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ଖୁବଶୀଘ୍ର ସେ ଗିରଫ ହେବେ ବୋଲି ଆଶା କରାଯାଉଛି ।

ଓଡିଶା ଡଟ୍ କମ୍

Exit mobile version