Site icon Odisha.com

ନବୀନ ବିଜେଡିର ସଭାପତି ନାହାନ୍ତି: ପ୍ୟାରୀମୋହନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୧୯(ଓଡ଼ିଶା ଡ଼ଟ୍ କମ୍) – ନବୀନ ପଟ୍ଟନାୟକ ବିଜେଡିର ସଭାପତି ନାହାଁନ୍ତି । ଦଳୀୟ ସମ୍ବିଧାନ ଅନୁଯାୟୀ ସେ କାର୍ଯ୍ୟ କରୁନାହାଁନ୍ତି । ତେଣୁ ତାଙ୍କର କୌଣସି ଆଦେଶ,ନିର୍ଦ୍ଦେଶ ଦଳୀୟ ସମ୍ବିଧାନ ସମ୍ମତ ନୁହେଁ ,ତେଣୁ ବହିଷ୍କାର କରିବା ଆଦେଶ କାହାରିବି ନାହିଁ ବୋଲି ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ।

ସାଂସଦ ମହାପାତ୍ର ‘ଓଡିଶା ଜନମୋର୍ଚ୍ଚା’ର ଆଭିମୁଖ୍ୟ ଭବଷ୍ୟତ କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ଦେବାପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗ, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ୱାଭିମାନ ଓ ବିଜୁବାବୁଙ୍କ ସାହସକୁ ଆୟୁଧ କରାଯାଇ ମୋର୍ଚ୍ଚା ଗଠନ କରା ଯାଇଛି ।

ବିଜେଡି ଏବେ ସମ୍ବିଧାନ ଅନୁଯାୟୀ ଚାଲୁନାହିଁ । ତିନିବର୍ଷ ହେଲାଣି ସମ୍ବିଧାନ ଅନୁଯାୟୀ ଥରଟିଏ ହେଲେ କାଯ୍ୟକାରିଣୀ ବୈଠକ ହୋଇ ନାହିଁ । ତେଣୁ ମୋର୍ଚ୍ଚା ବିଜେଡିକୁ ଶକ୍ତିଶାଳୀ କରିବା ସହ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବ ।

ସରକାର କହିଲେ ମନ୍ତ୍ରୀମାନଙ୍କୁ ବୁଝାଯାଏ,ସଚିବଙ୍କୁ ନୁହେଁ । ମାତ୍ର ସଚିବମାନେ ଏଠି ସର୍ବେସର୍ବା ପାଲଟିଛନ୍ତି । ତୃଣମୂଳ ସ୍ତରରେ ଦୁର୍ନୀତି ୨୫ରୁ ୩୦ ପ୍ରତିଶତ ବଢିଛି ।

୨୦୧୦ ଜାନୁଆରୀ ମାସରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉଠାଇବାରୁ ନବୀନଙ୍କ ସହିତ ତାଙ୍କର ମତଭେଦ ହୋଇଛି ବୋଲି ମହାପାତ୍ର ପ୍ରକାଶ କରିଛନ୍ତି ।

ନୀତି ନିର୍ଦ୍ଧାରଣ ସମୟରେ ତାଙ୍କ ପରାମର୍ଶ ନିଆଯାଏ । ମାତ୍ର ପ୍ରଶାସନିକ ନିଷ୍ପତି ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କ ଦ୍ୱାରାନେଇଥାନ୍ତି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତିନିବର୍ଷ ଲାଗିଲା । ଏହି ବିଭାଗ ଦ୍ୱାରାଓଡିଶାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିହୁଅନ୍ତା ।

ପ୍ରାୟ ୧୨ ଲକ୍ଷ ବେକାରଙ୍କୁ ନିଯୁକ୍ତିଦେବାପାଇଁ ଦଳର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ମହାପାତ୍ର ପ୍ରକାଶ କରିଛନ୍ତ ।

ଏହି ସାମ୍ବାଦିକ ସମ୍ମିଳନୀରେ ଯଜ୍ଞେଶ୍ୱର ବାବୁ, ଡ.ଶରତ ଚନ୍ଦ୍ର ମିଶ୍ର, ସ୍ୱରୁପ ପାତ୍ର, ରାଜେନ୍ଦ୍ର କୁମାର ସିଂ, ବାସୁଦେବ ପାତ୍ର, ଅଭିମନ୍ୟୁକେଶରୀ, ଶେଷଦେବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version