Site icon Odisha.com

ପଛରୁ ଆକ୍ରମଣ ପାଇଁ ହୋଇଥିଲା ଉଦ୍ୟମ: ନବୀନଙ୍କ ଜବାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୯(ଓଡ଼ିଶା ଡ଼ଟ୍ କମ୍) – ମୋ ସାଥିରେ କେହି ରହିଲେ ବା ନରହିଲେ ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ପଛରେ ଅଛନ୍ତି ଓଡିଶାର ୪ କୋଟି ଜନତା । ବିଜୁ ବାବୁଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ମୁଁ ଉଦ୍ୟମ ଜାରି ରଖିବି ବୋଲି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ପଛରୁ ଆକ୍ରମଣ ପାଇଁ ହୋଇଥିଲା ଉଦ୍ୟମ । ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା । ଓଡିଶାର ୪ କୋଟି ଜନତା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । କ୍ଷମତାରେ ଥାଏ ବା ନଥାଏ ବଞ୍ଚି ଥିବା ପର୍ଯ୍ୟନ୍ତ ଓଡିଶାବାସୀଙ୍କ ପାଇଁ ଲଢାଇ କରି ଚାଲିବି ଓ କାମ କରିଚାଲିବି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରେ ଅନୁଷ୍ଠିତ ସାଂସଦ ପ୍ୟାରିମୋହନ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟରେ ଥିଲେ ନବୀନ ପଟ୍ଟନାୟକ ଠିକ୍ ତାପରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ବିଜେଡିର ମହାସମାବେଶର ନବୀନଙ୍କ ଟାର୍ଗେଟରେ ଥିଲେ ପ୍ୟାରୀମୋନ ମହାପାତ୍ର ।

କିନ୍ତୁ ମୁଖ୍ୟମନ୍ତ୍ରୀ କାହାରି ନାମ ପ୍ରକାଶ କରିନଥିଲେ ମଧ୍ୟ ବ୍ରହ୍ମପୁର ସମାବେଶରେ ତାଙ୍କ ବକ୍ତବ୍ୟ ଥିଲା ପ୍ୟାରୀଙ୍କ ପାଇଁ କଡା ଜବାବ । ଏହାକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି ।

ବ୍ରହ୍ମପୁର ବଡମେଡିକାଲ ପଡିଆଠାରେ ଆଜି ବିଜେଡି ତରଫରୁ ଅନୁଷ୍ଠିତ ହୋଇଥିଲା ବିଶାଳ ସମାବେଶ । ସମାବେଶରେ ସାମିଲ ହୋଇଥିଲେ ଜିଲ୍ଲାର ୪ଜଣ ସାଂସଦ,୧୨ଜଣ ବିଜେଡି ବିଧାୟକ ଏବଂ ୫୦ ହଜାରରୁ ଅଧିକ ଦଳୀୟ କର୍ମୀ ଓ ସମର୍ଥକ ।

ଏହି ସମାବେଶରେ ରାଜ୍ୟପ୍ରତି କେନ୍ଦ୍ରର ଅବେହେଳାକୁ ପୁଣି ଥରେ ଦୋହରାଇ ଥିଲେ ପଟ୍ଟନାୟକ । ସେ କହିଛନ୍ତି ଯେ, ମେନେରାଲ ରୟାଲଟି ପ୍ରଦାନନେଇ କେନ୍ଦ୍ର ଅବହେଳା କରୁଛି । ରାଜ୍ୟରୁ ୮ ହଜାର କୋଟି ଟଙ୍କା ରାଜସ୍ୱ ଯାଉଥିଲେ ବି ରେଳବାଇର ବିକାଶ ହେଉ ନାହିଁ ।

ଏଭଳି ସମାବେଶ ମୁଖ୍ୟମନ୍ତ୍ରୀଙ୍କ ଇମେଜକୁ ବଢାଇଦେଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଗ୍ରାମ ଉନ୍ନୟନମନ୍ତ୍ରୀ ବିକ୍ରମକେଶରୀ ଆରୁଖା କହିଛନ୍ତି ସମାବେଶ ଆଜି ଆଶାତୀତ ଭାବେ ସଫଳ ହୋଇଛି । ଯେପର୍ଯ୍ୟନ୍ତ ନବୀନ ଦଳର ସଭାପତି ଅଛନ୍ତି ସେପର୍ଯ୍ୟନ୍ତ ଦଳ ଆଗେଇ ଚାଲିଥିବ ।

ଯାହା ଆଶା କରାଯାଉଥିଲା ତାର ଦୁଇଗୁଣିତ ଲୋକ ଏଠାରେ ଏକଠି ହୋଇଥିଲେ । ଗଞ୍ଜାମର କୋଣ ଅନୁକୋଣରୁ ଲୋକମାନେ ଏଠାକୁ ଛୁଟି ଆସିଥିଲେ ।

ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ପ୍ରକୃତରେ ଲୋକମାନଙ୍କ ଭଲ ପାଇବା ଦଳ ପ୍ରତି, ଶଂଖଚିହ୍ନ ପ୍ରତି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଅଛି । ଯେତେଦିନ ପର୍ଯ୍ୟନ୍ତ ନବୀନ ବାବୁ ଅଛନ୍ତି, ତାଙ୍କ ନେତୃତ୍ୱ ଅଛି ବିଜୁ ଜନତା ଦଳ ଏମିତି ହିଁ ଥିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version