Site icon Odisha.com

ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ଧାରଣା,ଧର୍ମଘଟ

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ବିରୋଧକରି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଶନିବାର ଦିନ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ନାଲକୋ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଅନୁଗୁଳ,ଦାମନଯୋଡି ସମେତ ଭୁବନେଶ୍ୱର କର୍ପୋରେଟର ଅଫିସ ଆଗରେ ସକାଳ ୬ ଘଟିକା ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନକୁ ସମର୍ଥନ ଜଣାଇ ସମସ୍ତ ଶ୍ରମିକ ସଂଗଠନ, ନାଲକୋ ଅଫିସର୍ସ ଆସୋସିଏସନ, ଏଆଇଟିସି ଆଦି ସମସ୍ତ ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଏହି ଧର୍ମଘଟରେ ସମସ୍ତ ଅଫିସର, କର୍ମଚାରୀ ଓ ଠିକା ଶ୍ରମିକମାନେ ଭାଗନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ ।

ନବରତ୍ନ କମ୍ପାନୀ ନାଲକୋ ଓଡ଼ିଶାର ଦ୍ୱିତୀୟ କୋଣାର୍କ ସଦୃଶ । ଗତ ସେପ୍ଟେମ୍ବର ୧୪ ତାରିଖରେ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାକୁ ଉପା ସରକାର ଯେଉଁ ନିଷ୍ପତି ନେଇଛନ୍ତି ଏହାର ବିରୋଧ କରି ନାଲକୋରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି ।

ରଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ପ୍ରୟାସକୁ ସଫଳ କରାଇଦିଆ ଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଅଫିସର୍ସ ଆସୋସିଏସନର ସଂପାଦକ ବିଜୟ କୁମାର ପରିଡା ଓଡିଶା କହିଛନ୍ତି ଯେ,ଯେଉଁ ସଂସ୍ଥା ମୂଳରୁ ଲାଭ କରିଆସୁଛି ସେଭଳି ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ଅଗଣତାନ୍ତ୍ରିକ ।

ଆଜି ସକାଳ ୬ ଘଟିକାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା କାଲି ସକାଳ ୬ ଘଟିକା ପର୍ଯ୍ୟନ୍ତ ଚାଲିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version