Site icon Odisha.com

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ କଂଗ୍ରେସର ବିରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୧(ଓଡ଼ିଶା ଡ଼ଟ୍ କମ୍) – ସେପ୍ଟେମ୍ବର ୬ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ବିରୋଧରେ ଅନୁଷ୍ଠିତ କଂଗ୍ରେସର ସମାବେଶ ବେଳେ କର୍ତବ୍ୟରତ ଜଣେ ମହିଳା ପୁଲିସ କନଷ୍ଟେବଳଙ୍କୁ ମାଡ଼ ଘଟଣାର ଅନୁସନ୍ଧାନ କରି ରାଜ୍ୟ ମହିଳା କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ରିପୋର୍ଟକୁ କଂଗ୍ରେସ ବିରୋଧ କରିଛି ।

ସରକାରଙ୍କ ଚାପରେ ଏଭଳି ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କମିଶନରଙ୍କ ଦ୍ୱାରାସୁପାରିଶ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତକୁ ମଧ୍ୟ ଦଳ ବିରୋଧ କରିଛି ।

କଂଗ୍ରେସର ବରିଷ୍ଠନେତା ଗଣେଶ୍ୱର ବେହେରା କହିଛନ୍ତି ଆମେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଭୟ କରୁନାହୁଁ । ଯେତେବେଳେ ଏହି ଘଟଣାର ଲୋକପାଳ ତଦନ୍ତ ଚାଲୁଛି ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିବା କୌଣସି ପ୍ରାସଙ୍ଗକତା ନାହିଁ । ସାମଗ୍ରୀକ ଭାବେ ବିଚାରକଲେ ଏ ରିପୋର୍ଟଟି ସରକାରଙ୍କ ଦ୍ୱାରାପ୍ରଭାବିତ ବୋଲି ଜଣାପଡୁଛି ।

କମିଶନର ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ଦେଇଥିବା ତାଙ୍କ ୬ ପୃଷ୍ଠା ରିପୋର୍ଟରେ ଦର୍ଶାଇଛନ୍ତି ଯେ ସେଦିନ କଂଗ୍ରେସର ସମାବେଶ ବେଳେ ଯେଉଁସବୁ ଘଟଣା ଘଟିଲା ତାହା ନିନ୍ଦନୀୟ ଏବଂ ଏଥିପାଇଁ ସେ ଓଡ଼ିଶା କଂଗ୍ରେସ ବ୍ୟାପାର ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଜଗଦୀଶ ଟାଇଟଲର ଓ ଅନ୍ୟାନ୍ୟ ନେତାମାନଙ୍କୁ ଦାୟୀ କରିଛନ୍ତି ।

ଘଟଣାର ବ୍ୟାପକତା ଏବଂ ବିଭିନ୍ନ ସ୍ତରର ସଂପୃକ୍ତି ନେଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାପାଇଁ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିବାବେଳେ ଏହି ଘଟଣାରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ଆଦୌ ଦାୟୀ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ଏହାଛଡ଼ା ପରିସ୍ଥିତିକୁ ସମ୍ଭାଳିବାରେ ପୁଲିସ ଓ ପ୍ରଶାସନ ଯେଭଳି କାର୍ଯ୍ୟ କରିଛି ତାହାକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version