Site icon Odisha.com

ନାଲକୋର ଦ୍ୱିତୀୟ ତ୍ରୈମାସିକ ଫଳାଫଳ: ଲାଭରେ ଗୁରୁତର ହ୍ରାସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୫(ଓଡ଼ିଶା ଡ଼ଟ୍ କମ୍)–କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋ, ପକ୍ଷରୁ ସେପ୍ଟେମ୍ବର ୨୦୧୨ରେ ସମାପ୍ତ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି ।

ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କଂପାନୀର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କଂପାନୀ, ୨୦୧୨-୧୩ ଆର୍ଥିକ ବର୍ଷର ଦ୍ୱିତୀୟ ତିନି ମାସରେ ୫ କୋଟି ଟଙ୍କା ନିଟ ଲାଭ କରିଛି ।

ଗତ ବର୍ଷ ଏହି ଅବଧି ମଧ୍ୟରେ ନିଟ ଲାଭ ୧୩୯ କୋଟି ଟଙ୍କା ଥିଲା । କଂପାନୀର ବ୍ୟବସାୟ ପରିମାଣ ଗତ ବର୍ଷ ଦ୍ୱିତୀୟ ତିନି ମାସରେ ୧୫୮୪ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ସାମାନ ବୃଦ୍ଧି ପାଇ ୧୫୮୬ କୋଟି ଟଙ୍କା ହୋଇଛି ।

ଗତ ବର୍ଷା ଋତୁରେ କୋଇଲା ଯୋଗାଣରେ ବ୍ୟାଘାତ ତଥା ଖରାପ ମାନର କୋଇଲା ହେତୁ କଂପାନୀର ଲାଭରେ ଗୁରୁତର ହ୍ରାସ ଘଟିଛି ।

ଏହି କାରଣରୁ କଂପାନୀକୁ ଅଧିକ ମୂଲରେ କୋଇଲା ଆମଦାନୀ କରି ବ୍ୟବହାର କରିବାକୁ ପଡିଥିଲା ଏବଂ ରାଜ୍ୟ ଗ୍ରୀଡରୁ ଆହୁରି ଅଧିକ ଦରରେ ବିଦ୍ୟୁତ ଶକ୍ତି କ୍ରୟ କରିବା ଏବଂ ଅଧିକ ପରିମାଣରେ ଏଚଏଫଓ ବ୍ୟବହାର କରିବାକୁ କଂପାନୀ ବାଧ୍ୟ ହୋଇଥିଲା ।

ଏହା ଫଳରେ, ଉତ୍ପାଦନ ଖର୍ଚ୍ଚ ୧୪୯ କୋଟି ଟଙ୍କା ଅଧିକ ହୋଇଥିଲା ।

ଉତ୍ପାଦନ କ୍ଷେତ୍ରରେ, ଗତ ବର୍ଷ ଦ୍ୱିତୀୟ ତିନି ମାସରେ ଆଲୁମିନା ଉତ୍ପାଦନ ୩.୮୮ ଲକ୍ଷ ଟନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ଏହା ସାମାନ୍ୟ ବୃଦ୍ଧି ପାଇ ୩.୯୮ ଲକ୍ଷ ଟନ ହୋଇଛି ।

ବିଦ୍ୟୁତ ଶକ୍ତି ଉତ୍ପାଦନ ୧୪୬୬ ନିୟୁତ ୟୁନିଟରୁ ୧୪୪୪ ନିୟୁତ ୟୁନିଟକୁ ହ୍ରାସ ପାଇଛି । ଗତ ବର୍ଷର ଦ୍ୱିତୀୟ ତିନି ମାସରେ ଆଲୁମିନିୟମ ଉତ୍ପାଦନ ପରିମାଣ ୧.୦୫ ଲକ୍ଷ ଟନ ଥିବା ବେଳେ ଚଳିତ ବର୍ଷ ଏହା ସାମାନ୍ୟ ହ୍ରାସ ପାଇ ୧.୦୨ ଲକ୍ଷ ଟନ ହୋଇଛି ।

ଧାତୁ ବିକ୍ରୟ କ୍ଷେତ୍ରରେ, ଗତ ବର୍ଷର ଦ୍ୱିତୀୟ ତିନି ମାସରେ ନାଲକୋ ୧.୦୧ ଲକ୍ଷ ଟନ ଆଲୁମିନିୟମ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ପରିମାଣ ପ୍ରାୟ ସମାନ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version